ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବିବାଦ; ପଞ୍ଜାବ ବିଧାନସଭାରେ ଟଣାଓଟରା ହେଲେ ମହିଳା ବିଧାୟକ

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୖେତିକ ସଙ୍କଟ ମଧ୍ୟରେ ରବିବାର ଦିନ ପଞ୍ଜାବ ବିଧାନସଭାରେ ଦେଖିବାକୁ ମିଳିଛି ହାଇଡ୍ରାମା । ସରକାର ଏବଂ ବିରୋଧୀ ଦଳର ବିଧାୟକ ମାନେ ପରସ୍ପର ସହ ଝଗଡା କରୁଥିବା ନଜର ଆସିଛି । ମହିଳା ବିଧାୟକମାନେ ପରସ୍ପରକୁ ଟଣାଓଟରା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏନେଇ ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ମହିଳାମାନେ ପରସ୍ପର ସହ ଝଗଡା କରୁଥିବା ଦେଖାଯାଉଛି। ପୁରୁଷ ବିଧାୟକମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି କିଛି ସଫଳ ମିଳିନଥିଲା । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଏଭଳି ଝଗଡା ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ପାକିସ୍ତାନର ଜାତୀୟ ବିଧାନସଭା ଭଙ୍ଗ ହେବା ପରେ ଏବେ ପଞ୍ଜାବ ବିଧାନସଭା ମଧ୍ୟ ଭଙ୍ଗ ହେବ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶରେ ରାଷ୍ଟ୍ରପତି ଆରିଫ ଅଲଭି ନ୍ୟାସନାଲ୍ ଆସେମବ୍ଲି କୁ ଭଙ୍ଗ କରିଦେଇଥିଲେ । ସୂଚନାନୁସାରେ, ପଞ୍ଜାବର ନୂତନ ରାଜ୍ୟପାଳ ଓମାର ସରଫରାଜ ଚିମା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାରଙ୍କୁ ପଞ୍ଜାବର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ କରିପାରନ୍ତି।

ଏହି ସମୟରେ ଓମାର ସରଫରାଜ ଚିମାଙ୍କୁ ଇସଲାମାବାଦକୁ ଡକାଯାଇଛି। ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ଇମ୍ରାନ ଖାନ ଚେମାଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସୂତ୍ରରୁ ପ୍ରକାଶ। ଏଥିସହିତ ଇମ୍ରାନ ଖାନ ବୁଜଦାର ଏବଂ ପିଟିଆଇ ସାଂସଦ ମହମୁଦୁର ରସିଦଙ୍କୁ ମଧ୍ୟ ଇସଲାମାବାଦକୁ ଡାକିଛନ୍ତି।