ଆଜି ଶକ୍ତି ପ୍ରଦର୍ଶନ କରିବ ପିଟିଆଇ; ଲାହୋରରେ ରଣହୁଙ୍କାର ଦେବ ପାକିସ୍ତାନ ତେହରିକ-ଇ-ଇନସାଫ୍

1 min read

ଇସଲମାବାଦ : ଆଜି ପାକିସ୍ତାନ ଲାହୋରରେ ପାକିସ୍ତାନ ତେହରିକ-ଇ-ଇନସାଫର ଗର୍ଜନ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗରେ ଶକ୍ତି ପ୍ରଦର୍ଶନ କରିବ ପିଟିଆଇ । ଦଳର ନେତା ହାମ୍ମଦ ଆଝାର କହିଛନ୍ତି- ଇମ୍ରାନଙ୍କ ସ୍ବର ହେଉଛି ପାକିସ୍ତାନର ସ୍ବର । ଏହି ସ୍ବରକୁ କେହି ଅଟକାଇ ପାରିବେନାହିଁ । ଏହି ରାଲିରେ ପିଟିଆଇର ହଜାର ହଜାର କର୍ମୀ ଯୋଗଦେବା ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ଥିବାବେଳେ ଦାମୀ ଗିଫ୍ଟଗୁଡିକୁ ବିକ୍ରି କରିଦେବା ଅଭିଯୋଗ କ୍ରମେ ଅଡୁଆରେ ପଡିଛନ୍ତି ଇମ୍ରାନ ଖାଁ । ତେବେ ଏହା ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି କହୁଛି ପିଟିଆଇ । ଇମ୍ରାନ ପ୍ରସଙ୍ଗରେ ପାକିସ୍ତାନର ତାତିକୁ ସରକାର ଭୁଲି ଯାଇଛନ୍ତି ବୋଲି କହିଛନ୍ତି ହାମ୍ମଦ ଆଝାର । ବାସ୍ତବ ପରିସ୍ଥିତି ସମ୍ପର୍କରେ ଇସଲାମାବାଦରେ ବସିଥିବା ଶାସକମାନେ ଅଜ୍ଞ ଅଛନ୍ତି ଏବଂ କ୍ରମଶଃ ତାହାର ପରିପ୍ରକାଶ ଘଟିବ ବୋଲି ସେ କହିଛନ୍ତି ।

ପଞ୍ଜାବ ଓ ଖାଇବର ପାଖତୁନଖାଓ୍ବାରେ ନିର୍ବାଚନ ବିଳମ୍ବ ନେଇ ପିଟିଆଇ ପକ୍ଷରୁ କିଛି ଦିନ ତଳେ ଜେଲଭରୋ ଆନ୍ଦୋଳନ ଡାକରା ଦିଆଯାଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାହାକୁ ବାତିଲ କରାଯାଇଥିଲା । ସେପଟେ ଇମ୍ରାନଙ୍କ ବିରୋଧରେ ଜାରି ଜାମିନବିହୀନ ଗିରଫ ପରଓ୍ବାନା ଉପରେ ଆସନ୍ତା ୧୩ ତାରିଖ ଯାଏ ସ୍ଥଗିତାଦେଶ ଜାରି କରିଛନ୍ତି ଇସଲାମାବାଦ ହାଇକୋର୍ଟ । ୧୩ ତାରିଖରେ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ହାଜର ହେବା ଲାଗି ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।