ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କୁ ଭେଟି ଆଶ୍ବସନା ଦେଲେ ପ୍ରିୟଙ୍କା ଗାନ୍ଧୀ

1 min read

ନୂଆଦିଲ୍ଲୀ: ଆଜି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବା ସହିତ ଦାବି ବାବଦରେ ଅବଗତ ହୋଇଛନ୍ତି । ପ୍ରିୟଙ୍କାଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଜନ୍ତରମନ୍ତର ଆସି କୁସ୍ତିଯୋଦ୍ଧାଙ୍କୁ ଭେଟିବେ । ଗତକାଲି କଂଗ୍ରେସର କିଛି ନେତା ମଧ୍ୟ ଧାରଣାସ୍ଥଳକୁ ଯାଇ ସମର୍ଥନ କରିଥିଲେ ।

କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ଖୁବଶୀଘ୍ର ସେ ଗିରଫ ହୋଇପାରନ୍ତି । ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । କନ୍ନୌଟ ପ୍ଲେସ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟ ଅଧିନରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ, ଅନ୍ୟଟି କୁସ୍ତି ଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଦ୍ବିତୀୟ ମାମଲା ରୁଜୁ ହୋଇଛି ।

ମାମଲା ରୁଜୁ ନେଇ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ସେପଟେ ବ୍ରିଜ ଭୂଷଣ କହିଛନ୍ତି- ସେ ସଭାପତି ପଦ ତ୍ୟାଗ କରିବାକୁ ପ୍ରସ୍ତୁତ । ମାତ୍ର ଜଣେ ଅଭିଯୁକ୍ତ ହିସାବରେ ସେ ଇସ୍ତଫା ଦେବେ ନାହିଁ । ତେଣେ ନ୍ୟାୟ ପ୍ରଦାନ ଦାବିରେ ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତି ଯୋଦ୍ଧା । ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଜେଲ ନଗଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି କହିଛନ୍ତି କୁସ୍ତିଯୋଦ୍ଧା । ସେପଟେ ବିଭିନ୍ନ ରାଜନୈତିକ ଦଳ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି ।