ମମିତାଙ୍କୁ ହତ୍ୟା ନେଇ ସତ ମାନିଲା ଗୋବିନ୍ଦ ସାହୁ: ହତ୍ୟା ପରେ ଷ୍ଟାଡିୟମ୍‌ରେ ପୋତି ଦେଇଥିଲା

ଧର୍ମଗଡ଼: ଜେରା ବେଳେ ସତ ମାନିଲା ଗୋବିନ୍ଦ ସାହୁ । ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ । ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲା । ଏନେଇ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି ଗୋବିନ୍ଦ । ଘଟଣା ଦିନ ଗୋବିନ୍ଦ ସହ ୩ରୁ ୫ଜଣ ବ୍ୟକ୍ତି ଥିଲେ । ଗୋବିନ୍ଦ ସହ ଅଟକ ୩ ଜଣଙ୍କୁ ମୁହାଁମୁହିଁ ଜେରା ପରେ ପୋଲିସ ଆଗରେ ସତ ସ୍ୱୀକାର କରିଥିବା ଜଣାପଡ଼ିଛି । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗତକାଲି ଗୋବିନ୍ଦ ସାହୁକୁ ଗିରଫ କରାଯାଇଥିଲା ।

ଆଜି କରାଯିବ କୋର୍ଟ ଚାଲାଣ । ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ବଲାଙ୍ଗୀର ଏସପି ଅଫିସରେ ରାତି ତମାମ ଜେରା କରିବା ପରେ ଆଜି ଭୋର ୫ଟାରେ ବଲାଙ୍ଗୀର ମେଡିକାଲରେ ଗୋବିନ୍ଦଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯାଇଛି । ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ । ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୋଲିସ ବାରାକକୁ ନିଆଯାଇଥିଲା ।

ବିଳମ୍ବିତ ରାତିରେ ଗୋବିନ୍ଦ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁକୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୋଲିସ । ଅନ୍ୟପଟେ ଏହି ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । ମହାଲିଙ୍ଗ କଲେଜରେ ଅସାମାଜିକ କାର୍ଯ୍ୟ ଚାଲିଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ ମରାଯାଉଥିବା ନେଇ ସେିସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଛାତ୍ରଛାତୀ । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏହି ଘଟଣାକୁ ନେଇ ଆଜି କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

Leave a Reply