ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ପୁରୀ: ନବୀନଙ୍କୁ କୋବିନ୍ଦଙ୍କ ପ୍ରଶଂସା । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସାର୍ଟିଫିକେଟ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବଥର ଅପେକ୍ଷା ଚଳିତଥର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆସିଛି ଅନେକ ପରିବର୍ତ୍ତନ । ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ନେଇଛନ୍ତି ଅନେକ ପଦକ୍ଷେପ । ଏହାକୁ ନେଇ ସାବସି ଦେଇଛନ୍ତି ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ଖୁସି ଜାହିର କରିଛନ୍ତି ସେବାୟତ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେବାୟତମାନଙ୍କୁ ଦିଲ୍ଲୀ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ରାଜଭବନରୁ ସନ୍ଧ୍ୟା ପ୍ରାୟ ୪ଟା ୫୦ରେ କଡ଼ା ସୁରକ୍ଷା ଭିତରେ ବାହାରି ସେ ୧୦ ମିନିଟ ପରେ ସିଂହଦ୍ୱାରରେ ପହଞ୍ଚିଥିଲେ। ସିଂହଦ୍ୱାରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା। ତା’ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେବାୟତମାନେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଛୋଟି ନେଇଥିଲେ। ଶେଷରେ ରାଷ୍ଟ୍ରପତି ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହିତ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ଝିଅ ଓ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ପରେ ସେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।

ଏଥିସହିିତ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୟୁଏନ୍ କଣ୍ଟ୍ରି ଡାଇରେକ୍ଟରଙ୍କ ପ୍ରଶଂସା

Leave a Reply