ମୁଁ ପ୍ରଧାନମନ୍ତ୍ରୀ ହୋଇଥିଲେ କଂଗ୍ରେସର ସ୍ଥିତି ଏଭଳି ହୋଇନଥାନ୍ତା !

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ବହି ‘ଦ ପ୍ରେସିଡେନସିଆଲ୍ ଇୟର୍ସ’ରୁ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏପରିକି ଏଥିରେ ଉଲ୍ଲେଖ ରହିଛି ଯେ ପ୍ରଣବ ରାଷ୍ଟ୍ରପତି ହେବା ପରେ କଂଗ୍ରେସ ରାଜନୈତିକ ଦିଗରୁ ଏପ୍ରକାର ବିଚ୍ୟୁତ ହୋଇଯାଇଥିଲା ।

ସ୍ୱର୍ଗତଃ ମୁଖାର୍ଜୀ ନିଜ ବହିରେ କହିଛନ୍ତି ଯେ ଦଳର କିଛି ସଦସ୍ୟଙ୍କ ବିଶ୍ୱାସ ରହିଥିଲା ଯେ ଯଦି ସେ ୨୦୦୪ରେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହେଲେ ୨୦୧୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ଏଭଳି ପରାଜୟର ସମ୍ମୁଖୀନ ହୋଇନଥାନ୍ତା।

ମୃତ୍ୟୁ ପୂର୍ବରୁ ମୁଖାର୍ଜୀ ‘ଦ ପ୍ରେସିଡେନସିଆଲ୍ ଇୟର୍ସ’ ନାମକ ଏକ ପୁସ୍ତକ ଲେଖିଥିଲେ । ରୁପା ପବ୍ଲିକେସନ୍ସ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଜାନୁଆରୀ ୨୦୨୧ରୁ ପାଠକମାନଙ୍କ ପାଇଁ ଉପଲବ୍ଧ ହେବ । ଦଳ ଭିତରେ ଆଭ୍ୟନ୍ତରୀଣ ଅଶାନ୍ତି ଜାରି ରହିଥିବା ବେଳେ ଏଭଳି ଟିପ୍ପଣୀ ସମ୍ମୁଖକୁ ଆସୁଛି ।

‘‘ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଥାନ୍ତି, ତେବେ ୨୦୧୪ରେ କଂଗ୍ରେସ ଏଭଳି ପରାଜୟର ସମ୍ମୁଖୀନ ହୋଇନଥାନ୍ତା  ବୋଲି କିଛି ଦଳୀୟ କର୍ମୀଙ୍କର ବିଶ୍ୱାସ ରହିଥିଲା । ହେଲେ ମୁଁ ଏଥିରେ ଏକମତ ନୁହେଁ’’ ବୋଲି ଉକ୍ତ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଏହି ପୂର୍ବତନ ରାଷ୍ଟ୍ରପତି ।

ହେଲେ ମୁଁ ରାଷ୍ଟ୍ରପତି ହେବା ପରେ ଦଳର ନେତୃତ୍ୱ ରାଜନୈତିକ ଦିଗରୁ ଏକପ୍ରକାର ବିଚ୍ୟୁତ ହୋଇଥିଲା ।ସୋନିଆ ଗାନ୍ଧୀ ଦଳୀୟ ମାମଲାକୁ ସମ୍ଭାଳିବାରେ ଅସମର୍ଥ ହୋଇଥିବା ବେଳେ ମନମୋହନ ସିଂଙ୍କ ମଧ୍ୟ ଠିକ୍ ଭାବେ ସାଂସଦ ମାନଙ୍କ ସହ ସମ୍ପର୍କ ସ୍ଥାପନା କରିପାରିନଥିଲେ ।

ତେବେ ପଶ୍ଚିମବଙ୍ଗର ଏକ ଗ୍ରାମରେ ବିତାଇଥିବା ବାଲ୍ୟକାଳରୁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ତାଙ୍କର ଦୀର୍ଘ ଯାତ୍ରା ବିଷୟରେ ଏହି ପୁସ୍ତକ ଆଲୋକପାତ କରାଯାଇଛି ।

କରୋନା ସଂକ୍ରମଣ ଯୋଗୁଁ ଗତ ଜୁଲାଇ ୩୧ ତାରିଖରେ ୮୪ ବର୍ଷ ବୟସରେ ପ୍ରଣବଙ୍କ ଦେହାନ୍ତ ହୋଇଥିଲା ।

Leave a Reply