ବିଜୟରାଜେଙ୍କଠାରୁ ଜ୍ୟୋତିରାଦିତ୍ୟ, ଜାଣନ୍ତୁ ସିନ୍ଧିଆ ପରିବାରର ରାଜନୈତିକ ଯାତ୍ରାର କଥା…

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିର ସିନ୍ଧିଆ ପରିବାର । ବିଜେପି ହେଉ ଅବା କଂଗ୍ରେସ ସବୁଠି ରହିଛି ଦବଦବା । ସବୁ ସରକାରରେ ପାୱାର କରିଡରରେ ରହୁଥିବା ସିନ୍ଧିଆ ପରିବାର ରାଜନୈତିକ ଯାତ୍ରାର ସମ୍ପୂର୍ଣ୍ଣ କଥା ।

ବିଜୟରାଜେ

ରାଜମାତା ବିଜୟରାଜେ ସିନ୍ଧିଆଙ୍କ ରାଜନୈତିକ ଜୀବନ ଆରମ୍ଭ ହୁଏ କଂଗ୍ରେସରୁ । ୧୯୫୭ ମସିହାରେ ରାଜେ, ଗୁନା ଲୋକସଭା ସିଟରୁ କଂଗ୍ରେସ ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ । ତେବେ, ମାତ୍ର ୧୦ ବର୍ଷ ଭିତରେ କଂଗ୍ରେସରୁ ତାଙ୍କର ମୋହଭଙ୍ଗ ହୋଇଥିଲା । ୧୯୬୭ ମସିହାରେ ସେ ଜନସଂଘରେ ସାମିଲ ହୋଇଥିଲେ । ଜନସଂଘ ଥିଲା ଭାରତୀୟ ଜନତା ପାର୍ଟିର ପୂର୍ବ ଅବତାର । ୧୯୭୧ ଇନ୍ଦିରା ଲହରକୁ ମାତ୍ ଦେଇ ମଧ୍ୟପ୍ରଦେଶର ଜନସଂଘ ତିନି ସିଟ୍ ହାତେଇ ଥିଲା । ଭିଣ୍ଡ୍ ଆସନରୁ ବିଜୟରାଜେ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ ଗୁନା ଆସନରୁ ପୁଅ ତଥା ଜ୍ୟୋତିରାଦିତ୍ୟଙ୍କ ବାପା ମାଧବ ରାଓ ସିନ୍ଧିଆ ଜିତିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗ୍ୱାଲିୟରରୁ ଜିତିଥିଲେ ।

ମାଧବ ରାଓ ସିନ୍ଧିଆ

ମାଧବ ରାଓ ନିଜ ମାତାପିତାଙ୍କର ଏକମାତ୍ର ପୁତ୍ର ଥିଲେ । ୪ ଭଉଣୀଙ୍କ ଭିତରେ ମାଧବ ରାଓଙ୍କ ସ୍ଥାନ ଥିଲା ତୃତୀୟ । ମାତ୍ର ୨୬ ବର୍ଷ ବୟସରେ ମାଧବ ରାଓ ସଂସଦରେ ପହଞ୍ଚି ପାରିଥିଲେ । ଜନସଂଘରୁ ସେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ, ଜନସଂଘ ସହ ତାଙ୍କର ସମ୍ପର୍କ ଅଧିକ ଲମ୍ବା ଚାଲିନଥିଲା । ୧୯୭୭ ଜରୁରୀ କାଳୀନ ପରିସ୍ଥିତି ପରେ ମାଧବ ରାଓ ମା’ ବିଜୟରାଜେ ଓ ଜନସଂଘ ସହ ସମ୍ପର୍କ ଛିନ୍ନ କରିଥିଲେ । ୧୯୮୦ ମସିହାରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ ରହିଥିବା ମାଧବ ରାଓଙ୍କର ୨୦୦୧ ମସିହାରେ ଏକ ବିମାନ ଦୁର୍ଘଟଣାରେ ନିଧନ ହୋଇଥିଲା । ରାଜନୈତିକ ଘଟଣାକ୍ରମରେ ଏବେ ଜ୍ୟୋତିରାଦିତ୍ୟ ସେହି ଦଳରେ ଯୋଗ ଦେଇଛନ୍ତି ଯାହା ସହ ଦିନେ ତାଙ୍କ ପିତା ସମ୍ପର୍କ ଛିନ୍ନ କରିଥିଲେ ।

ବସୁନ୍ଧରା ରାଜେ

ବିଜୟରାଜେ ସିନ୍ଧେଙ୍କ ଝିଅ ହେଉଛନ୍ତି ବସୁନ୍ଧରା ରାଜେ । ୧୯୮୪ ମସିହାରେ ବସୁନ୍ଧରା ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ସାମିଲ ହୋଇଥିଲେ । ସେ ଅନେକ ଥର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ।

ଯଶୋଧରା ରାଜେ ସିନ୍ଧିଆ

ବସୁନ୍ଧରା ରାଜେଙ୍କ ଭଉଣୀ ଯଶୋଧରା ରାଜେ ୧୯୭୭ରେ ଆମେରିକା ଚାଲି ଯାଇଥିଲେ । ତାଙ୍କର ତିନୋଟି ପିଲା ଅଛନ୍ତି କିନ୍ତୁ କାହାରି ମଧ୍ୟ ରାଜନୀତିରେ ରୁଚି ନାହିଁ । ୧୯୯୪ ମସିହାରେ ଭାରତ ଫେରିବା ପରେ ସେ ମା’ଙ୍କ ଇଛା ଅନୁସାରେ ବିଜେପିରେ ସାମିଲ ହୋଇଥିଲେ । ୧୯୯୮ରେ ସେ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ । ୫ ଥର ବିଧାୟକ ରହିଥିବା ଯଶୋଧରା ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ଥିଲେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆ

୩୧ ବର୍ଷ ବୟସରେ ପ୍ରଥମଥର ପାଇଁ ସାଂସଦ ଭାବେ ବିଜୟୀ ହୋଇଥିଲେ । ବାପାଙ୍କ ମୃତ୍ୟୁ ପରେ ଗୁନା ଆସନରୁ ୨୦୦୧ରେ ଉପନିର୍ବାଚନ ଜିତି ଲୋକସଭା ଯାଇଥିଲେ । ପୁଣିଥରେ ୨୦୦୪ରେ ଉକ୍ତ ଆସନରୁ ଜିତିଥିଲେ ସିନ୍ଧିଆ । ୧୭ ବର୍ଷ ଧରି କଂଗ୍ରେସରେ ରହି ସାଂସଦ ହେବା ପରେ ସେ ମାର୍ଚ୍ଚ ୧୦ରେ ଦଳ ଛାଡ଼ି ମାର୍ଚ୍ଚ ୧୧ରେ ବିଜେପିରେ ଯୋଗ ଦେଇଛନ୍ତି ।

ଦୁଷ୍ୟନ୍ତ ସିଂ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ହେଉଛନ୍ତି ଦୁଷ୍ୟନ୍ତ ସିଂ । ଦୁଷ୍ୟନ୍ତ ବିଜେପିରେ ସାମିଲ ଅଛନ୍ତି । ସେ ଏବେ ରାଜସ୍ଥାନର ଝାଲବାଡ଼ ସିଟରୁ ସାଂସଦ ଅଛନ୍ତି ।

ପଦ୍ମା ରାଜେ ସିନ୍ଧିଆ

ପଦ୍ମା ରାଓ ସିନ୍ଧିଆ ଜିବାଜୀ ରାଓ ଓ ବିଜୟରାଜେ ସିନ୍ଧିଆଙ୍କ ପ୍ରଥମ ସନ୍ତାନ ଥିଲେ । ପଦ୍ମାଙ୍କ ପିତା ଜିବାଜୀ ରାଓଙ୍କ ନିଧନର ତିନି ବର୍ଷ ପରେ ହୋଇଥିଲା । ୧୯୬୧ରେ ଜିବାଜୀ ଓ ୧୯୬୪ରେ ପଦ୍ମାଙ୍କ ନିଧନ ହୋଇଥିଲା ।

ଉଷା ରାଜେ ସିନ୍ଧିଆ

ଜିବାଜୀ ରାଓ ଏବଂ ବିଜୟାରାଜେଙ୍କ ଦ୍ୱିତୀୟ ଝିଅ ଉଷା ରାଜେ ରାଜନୀତିରୁ ଦୂରରେ ଅଛନ୍ତି । ସେ ନେପାଳର ସମଶେର ବାହାଦୁର ରାଣାଙ୍କୁ ବିବାହ କରିଛନ୍ତି ।

Leave a Reply