ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶ ସ୍ଥିତି ଉପରେ ପକାନ୍ତୁ ନଜର

କଂଗ୍ରେସକୁ ଝଟ୍‌କା। ହାତ ଛାଡ଼ିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ୧୮ ବର୍ଷ ଧରି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଥିଲେ। ହେଲେ ଏବେ ରାସ୍ତା ବଦଳାଇବା ସମୟ ଆସିଛି। ସବୁ ଜାଣି ସୋନିଆ ଗାନ୍ଧୀ କିଛି କରିନଥିବା ସେ ଅଭିଯୋଗ କରିଛନ୍ତି। ଗତକାଲି ତାରିଖରେ ଇସ୍ତଫାପତ୍ର ଲେଖାଯାଇଛି। ଜବାବରେ ଦଳବିରୋଧୀର କାର୍ଯ୍ୟ କରୁଥିବା ଦର୍ଶାଇ କଂଗ୍ରେସ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳରୁ ବାହାର କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଜେପିରେ ସାମିଲ ହେବା ସହ କେନ୍ଦ୍ର କ୍ୟାବିନେଟରେ ତାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି।

ଅନ୍ୟପଟେ ମଧ୍ୟପ୍ରଦେଶରେ ଭାଙ୍ଗିବାକୁ ଯାଉଛି କମଲନାଥ ସରକାର। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ୨୦ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ବିଧାୟକଙ୍କ ମଧ୍ୟରେ ୬ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ରାଜ୍ୟପାଳଙ୍କୁ ବିଧାୟକମାନେ ସେମାନଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଏଥିସହ କମଲନାଥ ସରକାର ଭାଙ୍ଗିବା ନିଶ୍ଚିତ ହୋଇଛି । ୨୩୦ଟି ଆସନ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ୨ଜଣ ବିଧାୟକଙ୍କ ପରଲୋକ ହୋଇଛି। କଂଗ୍ରେସର ୧୧୪ ବିଧାୟକ ଥିବା ବେଳେ ୪ଜଣ ସ୍ୱାଧୀନ, ୨ ବିଏସପି ଓ ଜଣେ ଏସପି ବିଧାୟକଙ୍କ ସମର୍ଥନ ରହିଛି। ତେବେ ୨୦ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ପାଖରେ ୧୦୧ ବିଧାୟକ ଅଛନ୍ତି। ସେପଟେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି ।

ତେବେ ଆସନ୍ତୁ ନଜର ପକାଇବା ସିନ୍ଧିଆ ପରିବାରର ବିଜେପି କନେକ୍ସନ ଉପରେ। ଗୋଆଲିୟର ରାଜମାତା ବିଜୟାରାଜେ ସିନ୍ଧିଆ ୧୯୫୭ରେ କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୧୦ ବର୍ଷ ପରେ କଂଗ୍ରେସରୁ ତାଙ୍କର ମୋହଭଙ୍ଗ ହୋଇଥିଲା। ସେ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ। ବିଜୟାରାଜେ ସିନ୍ଧିଆଙ୍କ ଯ଼ୋଗୁଁ ଗୋୱାଲିୟରରେ ଜନସଂଘ ମଜଭୁତ ହୋଇଥିଲା। ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ଲହରୀ ସତ୍ତ୍ୱେ ଜନସଂଘ ୩ଟି ଆସନରେ ବିଜୟୀ ହୋଇଥିଲା। ଗୁନା ଆସନରରେ ସିନ୍ଧିଆ ପରିବାର ଲମ୍ବା ସମୟ ଧରି କବ୍‌ଜା କରିଛି । ମାଧବ ରାଓ ସିନ୍ଧିଆ ମାତ୍ର ୧୬ ବର୍ଷ ବୟସରେ ସାଂସଦ ନିର୍ବାଚିତ ହୋଇଥିଲେ। ୧୯୭୭ରେ ଏମରଜେନ୍ସି ପରେ ମା’ ବିଜୟାରାଜେଙ୍କ ରାଜନୈତିକ ରାସ୍ତାରୁ ଅଲଗା ହୋଇଯାଇଥିଲେ ମାଧବ ରାଓ । କଂଗ୍ରେସରୁ ନିର୍ବାଚନ ଲଢି ବିଜୟୀ ହୋଇ କେନ୍ଦ୍ରମୃନ୍ତ୍ରୀ ହୋଇଥିଲେ। ସେପଟେ ବିଜୟାରାଜେଙ୍କ ଝିଅ ବସୁନ୍ଧରା ରାଜେ ସିନ୍ଧିଆ ଓ ଯଶୋଧରା ରାଜେ ସିନ୍ଧିଆ ବି ରାଜନୀତିରେ ସକ୍ରିୟ ଅଛନ୍ତି । ୧୯୮୪ରେ ବସୁନ୍ଧରା ରାଜେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ ହୋଇଥିଲେ। ୨ ଥର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ତାଙ୍କ ପୁଅ ଦୁଷ୍ୟନ୍ତ ବିଜେପିରୁ ସାଂସଦ ଅଛନ୍ତି । ସେହିପରି ବସୁନ୍ଧରାଙ୍କ ଭଉଣୀ ଯ଼ଶୋଧରା ୧୯୯୮ରେ ବିଜେପି ଟିକଟରୁ ନିର୍ବାଚନ ଲଢିଥିଲେ। ଶିବରାଜ ସିଂହ ଚୌହାନଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବାପାଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସର ତୁଙ୍ଗ ନେତା ଥିଲେ। ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

Leave a Reply