ଠେଲାବାଲାକୁ ଚାପୁଡ଼ା ମାରିଲା ପୋଲିସ୍, ଜଜ ହୋଇ ଜବାବ ଦେଲେ ପୁଅ

1 min read

ପାଟନା: ଗରିବ ବାପା । ରାସ୍ତାରେ ଠେଲାରେ ବିକ୍ରିବଟା କରି ପରିବାର ପ୍ରତିପୋଷଣ କରୁଥିଲା । ପୋଲିସ୍ ବାବୁ ଦେଖାଇଲେ ଦବଙ୍ଗଗିରି । ଚାପୁଡ଼ା ମାରିଲେ ଓ ଜବରଦସ୍ତ ଠେଲା ବନ୍ଦ କରିଦେଲେ । ପାଖରେ ଛିଡ଼ା ହୋଇ ଏସବୁ ଦେଖୁଥିଲା ୧୫ରୁ ୧୬ ବର୍ଷର ପିଲାଟେ । ସେ ପିଲା ଆଉ କେହି ନୁହେଁ, ପୋଲିସ ପାଖରୁ ମାଡ଼ ଖାଉଥିବା ସେହି ଅସହାୟ ବାପାଙ୍କ ପୁଅ ଥିଲା । ବାପାଙ୍କୁ ସାହାଯ୍ୟ କରିବାକୁ ସେଦିନ ଠେଲା ସହ ଯାଇଥିଲା । ପୋଲିସ ବାବୁଙ୍କ ଏ କାମ ତାଙ୍କୁ ବହୁତ ବାଧିବା ସହ ରାଗ ମଧ୍ୟ ହୋଇଥିଲା । ହେଲେ ସେ ସମୟରେ ସେ କିଛି କରିବାକୁ ଥିଲେ ଅସମର୍ଥ । ଆଉ ପରେ ସେ ଯାହା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛି ବିହାର ସହରସା ଜିଲ୍ଲାର କମଲେଶ କୁମାରଙ୍କ କାହାଣୀ । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏବେ ଏବେ ପ୍ରକାଶ ପାଇଛି ବିହାର ଜୁଡିସିଆରୀ ପରୀକ୍ଷାର ରେଜଲ୍ଟ । ଏଥିରେ କମଲେଶ ୬୪ ରାଙ୍କ ରଖିଛନ୍ତି । ବର୍ଷ ବର୍ଷ କଠୋର ପରିଶ୍ରମର ଫଳ ପାଇଛନ୍ତି କମଳେଶ । ଏଥିରେ ରହିଛି ତାଙ୍କ ନିଷ୍ଠା ଓ ବାପାଙ୍କ ତ୍ୟାଗ । ପୁଅର ସ୍ବପ୍ନ ପୂରଣ ପାଇଁ ବାପା କେତେବେଳେ କୁଲି ମଜୁରୀ କରିଛନ୍ତି ତ, କେତେବେଳେ ରିକ୍ସା ଚଲାଇଛନ୍ତି ଆଉ କେତେବେଳେ ଠେଲାରେ ଛୋଲେ-ଭଟୁରେ ବିକ୍ରି କରିଛନ୍ତି । ଆଉ ସେହି ଛୋଲେ-ଭଟୁରେ ବିକ୍ରି କରିବା ପାଇଁ ପୋଲିସ ବାବୁଙ୍କ ପାଖରୁ ମାଡ଼ ବି ଖାଇଛନ୍ତି । ବାପା ମାଡ଼ ଖାଇବା କମଲେଶଙ୍କୁ ଆଜି ଜଜ୍ ବନାଇ ଦେଇଛି ।

ଏବେ ଆସନ୍ତୁ ଜାଣିବା କମଲେଶଙ୍କ ଏହି ସଂଘର୍ଷର କାହାଣୀ । କମଲେଶଙ୍କ ବାପା ବହୁତ ଗରିବ ଥିଲେ । ସେମାନେ ୧୦ ଭାଇ ଭଉଣୀ ଥିଲେ । ପରିବାର ଚଳାଇବା ପାଇଁ ଦିଲ୍ଲୀ ପଳାଇ ଆସିଥିଲେ । ଏଠାରେ ସେ ଲାଲକିଲା ପଛରେ ଏକ ବସ୍ତିରେ ରହୁଥିଲେ । ଯାହାକୁ ହଟାଇବାକୁ ସରକାର ନିର୍ଦ୍ଦେଶ ଦେବା ପରେ ମୁଣ୍ଡ ଉପରୁ ଛାତ ହଟି ଯାଇଥିଲା । ପରେ ପୂରା ପରିବାର ଯମୁନା ଆରପଟେ ଏକ ଘର ଭଡ଼ା ନେଇ ରହିବାକୁ ଲାଗିଲେ । କମଲେଶଙ୍କ ବାପା ଚାନ୍ଦିନୀଚୌକରେ ଠେଲା ଲଗାଇ ପରିବାର ଚଳାଇବା ଆରମ୍ଭ କରିଥିଲେ । ଦିନେ କମଲେଶ ବାପାଙ୍କ ସହ ଠେଲାରେ ସାହାଯ୍ୟ କରିବାକୁ ଯାଇଥିବା ବେଳେ ଜଣେ ପୋଲିସ ବାବୁ ତାଙ୍କୁ ଚାପୁଡ଼ା ମାରିବା ସହ ଠେଲା ବନ୍ଦ କରି ଦେଇଥିଲା । ଏହା କମଲେଶଙ୍କୁ ହୃଦୟରୁ ଭାଙ୍ଗି ଦେଇଥିଲା । ସେ ସମୟରେ ସେ ଦଶମ ପାସ୍ କରିଥିଲେ । ଘଟଣାର କିଛିଦିନ ପରେ ତାଙ୍କ ବାପା କହିଥିଲେ, ଏ ପୋଲିସ ବାଲା କେବଳ ଜଜଙ୍କୁ ଡରନ୍ତି । ଏହା ଶୁଣିବା ପରେ କମଲେଶ ଜଜ୍ ହେବାକୁ ମନ ସ୍ଥିର କରିନେଇଥିଲେ । ପରେ ସେ ଦିଲ୍ଲୀ ୟୁନିର୍ଭସିଟିରେ ଲ’ ପଢ଼ୁଥିଲେ । ହେଲେ ଏହା ଆଗକୁ ଯାଇ ଜଜ୍ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

୨୦୧୭ରେ ସେ ଉତ୍ତରପ୍ରଦେଶ ଜୁଡ଼ିସିଆରୀ ପାଇଁ ପରୀକ୍ଷା ଦେଇଥିଲେ । ଏହାପରେ ବିହାର ଜୁଡ଼ିସିଆରୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମ ପ୍ରୟାସରେ ସେ ସଫଳତା ପାଇନଥିଲେ । ଏହାପରେ କରୋନା ମହାମାରୀ କାରଣରୁ ୩ ବର୍ଷ ବରବାଦ ହୋଇଯାଇଥିଲା । ତେବେ କରୋନା ତାଙ୍କୁ ଆହୁରି ଅଧିକରୁ ଅଧିକ ପ୍ରସ୍ତୁତି ପାଇଁ ସୁଯୋଗ ଦେଇଥିଲା । ୨୦୨୨ ପରୀକ୍ଷାରେ କମଲେଶଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି ।

କମଲେଶ କୁହନ୍ତି, ଯେତେବେଳେ ସେ ରେଜଲ୍ଟ ଦେଖିବାକୁ ଯାଇଥିଲେ ଲିଷ୍ଟରେ ତାଙ୍କ ନାଁ ନଦେଖି ନିରାଶ ହୋଇଯାଇଥିଲେ । ଘରକୁ ଫେରି ଗୋଟିଏ ସ୍ଥାନରେ ବସି ଯାଇଥିଲେ । ଏହି ସୟମରେ ତାଙ୍କ ବନ୍ଧୁଙ୍କ ଫୋନ ଆସିଥିଲା ଓ ସେ ସିଲେକ୍ଟ ହୋଇଥିବା କହିଥିଲେ । ଏହା ଶୁଣି ସେ କାନ୍ଦି ପକାଇଥିଲେ ।