ଭାରତର ଶେଷ ଗାଁ, ଚାରି ଭାଇଙ୍କୁ ବିବାହ କରନ୍ତି ଜଣେ ମହିଳା

1 min read

ଶିମଲା: ଭୋଟ ଦେଇଛି ଭାରତର ଶେଷ ଗାଁ । ଦେଶର ଶେଷ ବସଷ୍ଟାଣ୍ଡ, ଶେଷ ସ୍କୁଲ, ଶେଷ ପୋଷ୍ଟ ଅଫିସ ଓ ଶେଷ ଢାବା…ସବୁ ଏଇଠି । ଗାଁରେ ଅଛନ୍ତି ୪୭୧ ଭୋଟର । କିନ୍ତୁ ଏଠାକାର ନୀତି ପରମ୍ପରା ଯେମିତି ଦେଶଠୁ ସମ୍ପୂର୍ଣ୍ଣ ଭିନ୍ନ  । ବିଧାନସଭା ନିର୍ବାଚନ ପାଇଁ ବେଶ ଚଳଚଞ୍ଚଳ ହିମାଚଳ । କିନ୍ତୁ ପ୍ରଚାର ହୋ ହାଲ୍ଲା ଠୁ ବହୁ ଦୂରରେ ଏହି ଗାଁ ଆଉ ଗ୍ରାମବାସୀ  ।

ଏ କାହାଣୀ ଭାରତ-ତିବ୍ବତ ସାଙ୍ଗଲାଠୁ ୨୮ କିଲୋମିଟର ଦୂରତାରେ ଥିବା ଛିତକୁଲ ଗାଁର  । ଏଠାରୁ ତିବ୍ବତ-ଚୀନ ସୀମା ପ୍ରାୟ ୬୦ କିଲୋମିଟର ଦୂର  । ପୂର୍ବରୁ ସୀମା ଅତିକ୍ରମ କରି ପଡୋଶୀ ଦେଶକୁ ବିନା କଟକଣାରେ ବି ଯିବା ଆସିବା କରୁଥିଲେ ଗ୍ରାମବାସୀ  । କିନ୍ତୁ ୧୯୬୨ ଭାରତ ଚୀନ ଯୁଦ୍ଧ ପରେ ସବୁ ବନ୍ଦ  ।

ହିମାଚଳ ପ୍ରଦେଶର ଶିମଲାରୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ ପରେ ପଡେ ଛିତକୁଲ । ଯେଉଁଠାରେ ସଂସ୍କୃତି, ରହିବାଶୈଳୀ, ଖାଦ୍ୟ ପାନୀୟ ଓ ଆଇନ କାନୁନ ବି ଦେଶ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

 

ଗାଁରେ ଦେଖିବାକୁ ମିଳେ ଏଭଳି ବହୁ ଅଜବ ନିୟମ  । ଅଧିକାଂଶ ପରିବାରରେ ମହିଳା ଗୋଟିଏ ପରିବାରର ଦୁଇ ଭାଇ ବା ଚାରି ଭାଇଙ୍କୁ ବିବାହ କରିଥାନ୍ତି  । ସମସ୍ତ ପତିଙ୍କ ସହ ଗୋଟିଏ ଛାତ ତଳେ ରହିଥାନ୍ତି ମହିଳା  । ବିବାହ ପରେ ଯଦି କୌଣସି ଭାଇ ପତ୍ନୀଙ୍କ ସହ ଥାଆନ୍ତି ସେ ନିଜ ଟୋପି ଘର ବାହାରେ ରଖିଦିଅନ୍ତି  । ଏହାର ଅର୍ଥ ବୁଝିଯିବାକୁ ହେବ ଯେ ପତି ପତ୍ନୀ ଏକାନ୍ତ ଚାହୁଁଛନ୍ତି  । ଅଜ୍ଞାତବାସ ସମୟରେ ପାଣ୍ଡବ କାଳେ ଏହି ଗାଁରେ ଆଶ୍ରୟ ନେଇଥିଲେ  । ଗାଁର ଏକ ଗୁମ୍ଫାରେ ଦୀର୍ଘଦିନ ଧରି ୫ ପାଣ୍ଡବଙ୍କ ସହ ରହିଥିଲେ ଦ୍ରୌପଦୀ  । ସେବେଠାରୁ ଗାଁରେ ଏକାଧିକ ପତି ଗ୍ରହଣ କରିବାର ପରମ୍ପରା ଥିବା ଲୋକକଥା ରହିଛି  ।

 

ସେପଟେ ବିବାହକୁ ନେଇ ବି ଭିନ୍ନ ପରମ୍ପରା ରହିଛି  । ଦେବୀ ଦେବତାଙ୍କ ଅନୁମତିରୁ ବିବାହ କାର୍ଯ୍ୟ ସମ୍ପର୍ନ୍ନ ହୋଇଥାଏ  । ବିବାହ ପୂର୍ବରୁ ମନ୍ଦିରରେ ବଳିପ୍ରଥା ଦିଆଯାଇଥାଏ  । ଏହା ପରେ ଦେବତାଙ୍କୁ ଘରକୁ ନିଆଯାଇଥାଏ  । କନ୍ୟା ଘରେ ପହଞ୍ଚିବା ପୂର୍ବରୁ ଖରାପ ଶକ୍ତିକୁ ଦୂରେଇବା ପାଇଁ ନଦୀ କୂଳରେ ସ୍ବତନ୍ତ୍ର ପୂଜା କରିଥାନ୍ତି  । କିନ୍ତୁ ପରମ୍ପରା ନାଁରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ଏହି ଗାଁ ଯୌତୁକ ପ୍ରଥା ଠୁ ବହୂଦୂରରେ  । ବିବାହରେ ଯୌତୁକ ଦେବା ନେବା ପରମ୍ପରାରେ ଲାଗିଛି ରୋକ୍‌ ।

 

କେବଳ ବିବାହ ନୁହେଁ ସମ୍ପତ୍ତି ଅଧିକାରରେ ମଧ୍ୟ ଝିଅଙ୍କ ପାଇଁ ରହିଛି ଭିନ୍ନ ନିୟମ  । ଅବିବାହିତ ରହିବା ପର୍ଯ୍ୟନ୍ତି ପିତାଙ୍କ ସମ୍ପତି ଭୋଗ କରିପାରିବେ ଘରର ଝିଅ  । ବିବାହ ପରେ ସବୁ ସମ୍ପତ୍ତି ନିକଟ ସମ୍ପର୍କୀୟଙ୍କ ନାଁରେ କରିଦିଆଯାଏ  । ଏକରୁ ଅଧିକ ଜୀବନସାଥୀ ଥିବା କାରଣରୁ ଜଣେ ପିତାଙ୍କ ନିଧନ ପରେ ଦ୍ବିତୀୟ ପିତାଙ୍କୁ ସମ୍ପତ୍ତି ଟ୍ରାନ୍ସଫର କରାଯାଏ  । ଆଉ ତାଙ୍କ ପରଲୋକ ପରେ ସମ୍ପତ୍ତି ଭୋଗ କରନ୍ତି ସେମାନଙ୍କ ବଂଶଜ  ।

 

ଛେଳିମେଣ୍ଢା ପାଳନ ଓ ଚାଷ କରି ରୋଜଗାର କରନ୍ତି ଏଠାକାର ଗ୍ରାମବାସୀ  । କିନ୍ତୁ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନର ବିକାଶ କାରଣରୁ ଗାଁ ଲୋକଙ୍କ ରୋଜଗାରର ଉତ୍ସ ବି ବଦଳିଛି  । ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ବହୁସଂଖ୍ୟାରେ ପର୍ଯ୍ୟଟକ ଛିତକୁଲରେ ପହଞ୍ଚିଥାନ୍ତି  ।

 

ଛିତକୁଲରେ ରହିଛି ଏକ ସରକାରୀ ସ୍କୁଲ  । ଦଶମ ଶ୍ରେଣୀ ଯାଏଁ ଥିବା ସ୍କୁଲରେ ପଢନ୍ତି ମାତ୍ର ୨୧ ଛାତ୍ରଛାତ୍ରୀ  । ସେଥିପାଇଁ ଶିକ୍ଷକ ପୋଷ୍ଟ ଖାଲିଥିଲେ ସୁଦ୍ଧା ଜଣେ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ  । ସେହିପରି ଦେଶର ଶେଷ ପୋଷ୍ଟ ଅଫିସ ଛିତକୁଲରେ ରହିଛି  । ୧୫ ବର୍ଷ ପୂର୍ବେ ପୋଷ୍ଟକାର୍ଡ ଓ ଅନ୍ତର୍ଦ୍ଦେଶୀୟ ପତ୍ର ଅଫିସକୁ ଆସିଥିଲା  । ଏବେ କିନ୍ତୁ ସରକାରୀ ଚିଠି ଆସୁଥିବାରୁ ଚାଲିଛି ପୋଷ୍ଟ ଅଫିସ  ।

 

ଛିତକୁଲରେ ଭାରତର ଶେଷ ଢାବା ମଧ୍ୟ ରହିଛି । ୧୯୯୯ ରେ ଆରମ୍ଭ ହୋଇଥିବା ଏହି ଢାବା ମଧ୍ୟ ବେଶ ଲୋକପ୍ରିୟ  । କମେଡିଆନ କପିଲ ଶର୍ମା, ସନି ଦେଓଲ, କିରଣ ରାଓ, ସାରା ଅଲୀ ଖାନ, କାର୍ତ୍ତିକ ଆର୍ୟନ, ଆଶିଷ ବିଦ୍ୟାର୍ଥା ଓ ଗ୍ରେଟ ଖଲିଙ୍କ ଭଳି ସେଲିବ୍ରିଟି ସୁଟିଂ ସମୟରେ ଏହି ଢାବାକୁ ଯାଇ ଆହୁରି ଚର୍ଚ୍ଚିତ କରିଛନ୍ତି  ।

 

ଏବେ ଆପଣ ଭାବିପାରୁଥିବେ ଯେ ଏହି ଦୁର୍ଗମ ଅଞ୍ଚଳରେ ନିର୍ବାଚନ କରାଇବା କେତେ ଚ୍ୟାଲେଞ୍ଜିଂ  । ଅକ୍ଟୋବର ୧୮ରେ ନିର୍ବାଚନ ଘୋଷଣା ପରେ ଗାଁରେ ଭୋଟିଂ ପାଇଁ ପ୍ରସ୍ତୁତି ଦେଖିବାକୁ ମିଳିଛି  । ଗତ ନିର୍ବାଚନରେ ଏଠାରେ ୭୨ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା  ।