ଭୂତାଣୁର ବ୍ରହ୍ମାସ୍ତ୍ର ପ୍ଳାଜ୍‌ମା ଥେରାପି: ୨୪ ଘଣ୍ଟାରେ ଆରମ୍ଭ ହେଲା ସେବା

1 min read

କଟକ,( ଦୀପେଶ ମହାପାତ୍ର): ଗତକାଲି ଶୁଭାରମ୍ଭ । ଆଜି ପ୍ରୟୋଗ । କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଟ୍ରାନ୍ସଫ୍ୟୁଜ ପ୍ରକିୟା । ଆଜି ଏସସିବିରୁ ସଂଗୃହୀତ ପ୍ଲାଜମା କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷର କରୋନା ରୋଗୀଙ୍କୁ ପ୍ରଦାନ କରାଯାଇଛି । ଅନ୍ୟପଟେ ଆଗ୍ରହୀ ସୁସ୍ଥ କରୋନା ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ କରି ପ୍ଲାଜମା ଦାନ କରିବାକୁ ଅପିଲ କରାଯାଇଛି । ଏଥିପାଇଁ ଏକ ୱେବସାଇଟ ମଧ୍ୟ ଆରମ୍ଭ କରାଯାଇଛି ।

ଗତକାଲି ମୁଖ୍ୟମନ୍ତ୍ରୀ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିବାର ୨୪ ଘଣ୍ଟାରେ ଆରମ୍ଭ ହୋଇଛି ସେବା  । କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଜଣେ ୪୮ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମ ପ୍ଲାଜମା ଟ୍ରାନ୍ସଫ୍ୟୁଜ୍ କରାଯାଇଛି  । ତାଙ୍କୁ ବି ପଜିଟିଭ ପ୍ଲାଜମା ଦିଆଯାଇଛି  ।

କଟକ ଏସସିବି ମେଡିକାଲ ରକ୍ତଭଣ୍ଡାରରୁ ପ୍ରଥମ ପ୍ଲାଜମା ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା  । ପ୍ଲାଜମା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଅବଜରଭେସନରେ ରଖାଯାଇଛି । ଏଥିସହିତ ଗତକାଲି ୪ଜଣ ସୁସ୍ଥ କୋରନା ରୋଗୀ ପ୍ଲାଜମା ଦାନ କରିବା ପରେ ସେମାନଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।

ତେଣୁ ଆଗାମୀ ଦିନରେ ଅଧିକ କୋରନା ସୁସ୍ଥ ବ୍ୟକ୍ତିଙ୍କ ପ୍ଲାଜମା ସଂଗ୍ରହ କରାଯାଇ ପ୍ଲାଜମା ଥେରାପି କରିହେବ ବୋଲି କହିଛନ୍ତି କୋଭିଡ୧୯ର ବୈଷୟିକ ମୁଖପାତ୍ର ଡାକ୍ଟର ଜୟନ୍ତ ପଣ୍ଡା । ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଯେତେ ବୃଦ୍ଧି ଘଟିଲେ ବି ସୁସ୍ଥତା ହାର ବେଶ ଅଧିକ ରହିଛି । ଆଉ ଏହାରି ମଧ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ଦଶ ହଜାର ଟପିଲାଣି । ଏଥିରେ  ଯୁବ ବର୍ଗଙ୍କ ସଂଖ୍ୟା ଅଧିକ ରହିଥିବାରୁ ସେମାନଙ୍କ ପ୍ଲାଜମା ସଂଗ୍ରହ କରାଯାଇପାରିବ ।

ଏଥିସହିତ କୋଲକାତାରୁ ଫେରିଥିବା ଏନ ଡି ଆର ଏଫ ଓ ଫାୟର ବିଭାଗର ସୁସ୍ଥ ହୋଇଥିବା ଯବାନଙ୍କ ପ୍ଲାଜମା ସଂଗ୍ରହ କରିବା ପାଇଁ ଯୋଜନା କରୁଛନ୍ତି ସରକାର । ଏତତ୍‌ ବାଦେ ଯେ କୌଣସି କରୋନା  ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ପ୍ଲାଜମା ଦାନ କରିବା ଚାହିଁଲେ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବସାଇଟ ମଧ୍ୟ ଆରମ୍ଭ କରାଯାଇଛି ।

ୱେବସାଇଟଟି ହେଲା https://covid19regd.odisha.gov.in/ । ଜଣେ ଦାତାଙ୍କ ପ୍ଲାଜମାରେ ଦୁଇ ଜଣ ଗୁରୁତର କରୋନା ରୋଗୀ ଭଲ ହେବାର ସମ୍ଭାବନା ରହିଛି  । ଏଥିପାଇଁ କୋରନା ସୁସ୍ଥ ବ୍ୟକ୍ତି ଆଗେଇ ଆସି ଦାନ କରିବାକୁ ଅପିଲ କରିଛନ୍ତି ପ୍ଲାଜମା ଦାତା । ପ୍ଲାଜମା ଥେରାପି ପାଇଁ ଏସସିବି ମେଡିକାଲ ନୋଡାଲ ଏଜେନ୍ସି ଭାବେ କାମ କରିବ  ।  ଆଗାମୀ ଦିନରେ ଭୁବନେଶ୍ବରର ସମ୍‌, କିମସ୍‌ରେ ମଧ୍ୟ ପ୍ଲାଜମା ଥେରାପି ଆରମ୍ଭ ହେବ  ।

Leave a Reply