ସରଗରମ ପିପିଲା ଉପନିର୍ବାଚନ: ରାତି ପାହିଲେ ବିଜ୍ଞପ୍ତି, ପ୍ରାର୍ଥୀ ଘୋଷଣା ପରେ ଜୋରଦାର ହେବ ପ୍ରଚାର

Pipili By poll

ପିପିଲି: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ଘଣ୍ଟା ଚକଟା ଆରମ୍ଭ କରିଦେଇଛନ୍ତି । ତେବେ ଏଯାଏଁ କୌଣସି ଦଳ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ମଧ୍ୟ ବିଜେପି ଓ ବିଜେଡିର ପ୍ରାର୍ଥୀ ପ୍ରାୟତଃ ସ୍ଥିର ହୋଇସାରିଥିବା କୁହାଯାଉଛି । କିନ୍ତୁ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ କିଏ ହେବ ସେନେଇ ବିଚାର ବିମର୍ଷ ଚାଲିଛି । ଲାଗୁଛି ସତେ ଯେମିତି କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ଚିନ୍ତାରେ ପଡ଼ିଛି ।

ସେପଟେ ବିଜେଡି ୩୦ରୁ ୩୫ହଜାର ଭୋଟ୍ ବ୍ୟବଧାନରେ ଜିତିବ ବୋଲି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଥିଲାଗି ଦଳ ସବୁପ୍ରକାର ପ୍ରସ୍ତୁତି ମଧ୍ୟ କରି ସାରିଥିବା କହିଛନ୍ତି ଶ୍ରୀ ସାମନ୍ତରାୟ । ସେହିପରି ବିଜେପିର ପ୍ରାର୍ଥୀ ମଧ୍ୟ ସ୍ଥିର ହୋଇସାରିଥିବା ଦଳ ପକ୍ଷରୁ କୁହାଯାଇଛି । ଗତଥର ଯାହାଙ୍କୁ ପ୍ରାର୍ଥୀ କରାଯାଇଥିଲା, ଏକରକମର ତାଙ୍କୁ ହିଁ ପ୍ରାର୍ଥୀ କରିବା ଚୂଡାନ୍ତ ବୋଲି ଭିତିରି ସୂଚନା ମିଳିଛି । କେବଳ ବିଜେପି ସଂସଦୀୟ ବୋର୍ଡର ସ୍ୱୀକୃତିକୁ ଅପେକ୍ଷା ରହିଛି । ଉପରୁ ନିର୍ଦ୍ଦେଶ ଆସିଲେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି । ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ପିପିଲିରେ କଂଗ୍ରେସ ବିଜୟ ଲାଭ କରିବ । ୫ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି, ଦିନେ ଦୁଇ ଦିନ ଭିତରେ ଜଣଙ୍କ ନାଁ ଘୋଷଣା କରାଯିବ ।

ତେବେ ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବ । ମାର୍ଚ୍ଚ ୩୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ମାର୍ଚ୍ଚ ୩୧ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ୍ ୩ । ଏପ୍ରିଲ୍ ୧୭ରେ ଭୋଟ୍ ହେବ । ମେ’ ୨ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଏହା ପରଠାରୁ ଉପନିର୍ବାଚନ ନେଇ ଲାଗି ରହିଥିଲା କଳ୍ପନାଜଳ୍ପନା ।

Leave a Reply