ପ୍ରତିଷ୍ଠା ହେବ ଫିଜିକାଲ ଏଜୁକେସନ୍ କଲେଜ, ୧୦ ଏକର ଜମିରେ ବିନିଯୋଗ ହେବ ପ୍ରାୟ ୩୦ କୋଟି ଟଙ୍କା

ଭୁବନେଶ୍ୱର: ଫୋକସରେ ଓଡ଼ିଶା ସ୍ପୋର୍ଟ୍ସ ।  ପ୍ରତିଷ୍ଠା ହେବ ଫିଜିକାଲ ଏଜୁକେସନ୍ କଲେଜ । ଏଥିପାଇଁ ତମାଣ୍ଡୋରେ ଚିହ୍ନଟ ହୋଇଛି ୧୦ଏକର ଜମି ।  ବିନିଯୋଗ ହେବ ପ୍ରାୟ ୩୦କୋଟି ଟଙ୍କା ।  କ୍ରୀଡାର ବିକାଶ ସହିତ ଭିତ୍ତି ଭୂମିର ବିକାଶ ଉପରେ ଗୁରୁତ୍ତ୍ୱ ଦେଉଛନ୍ତି ରାଜ୍ୟ ସରକାର । କ୍ରୀଡାବିତଙ୍କୁ ଚିହ୍ନଟ ପାଇଁ ହଷ୍ଟେଲ ନିର୍ମାଣ କରାଯାଉଥିବା ବେଳେ ଏବେ ପ୍ରଶିକ୍ଷକଙ୍କ ଉପରେ ରହିଛି ନଜର । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ।

ଏନେଇ ତମାଣ୍ଡୋ ନିକଟରେ ୧୦ଏକର ସରକାରୀ ଜମି ଚିହ୍ନଟ କରାଯାଇ କ୍ରୀଡାବିଭାଗକୁ ହସ୍ତାନ୍ତର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ବିନିଯୋଗ ହେବ ପ୍ରାୟ ୩୦କୋଟି । ତେବେ ଜବରଦଖଲରେ ଥିବା ଜମି ବାଧକ ସାଜିଛି ପ୍ରକଳ୍ପ କାର୍ଯ୍ୟରେ । ଚିହ୍ନଟ ଜମିକୁ ଜବରଦଖଲ ମୁକ୍ତ କରିବାକୁ ବିଡିଏ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ସୃଷ୍ଟି ହୋଇଛି ଜଟିଳ ପରିସ୍ଥିତି ।

ଦୀର୍ଘ ୨୦ବର୍ଷରୁ ଅଧିକ ହେବ ଚିହ୍ନଟ ସରକାରୀ ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି ଲୋକେ । କିଛି ଜମି ସେମାନଙ୍କୁ ସରକାରୀ ଭାବେ ଲିଜ୍ ସୂତ୍ରରେ ଦିଆଯାଇଛି । ଫଳରେ ଦଖଲରେ ରଖିଥିବା ଲୋକେ ଜମି ଛାଡିବାକୁ ପ୍ରସ୍ତୁତ ନାହାନ୍ତି । କିଛି ଜମିକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ଥିବା ବେଳେ ଅନ୍ୟ କିଛି ଜମିକୁ ନେଇ ରହିତା ଦେଶ ମଧ୍ୟ ରହିଛି  । ଦଖଲରେ ଥିବା ଲୋକଙ୍କ ପ୍ରତିବାଦ ସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛି କ୍ରୀଡା ବିଭାଗ ।

Leave a Reply