ବୋହିନେଲେ ବସ୍ତା ବସ୍ତା ଆଳୁ, କିଲୋକୁ ୬ ଟଙ୍କା

1 min read

ସିମୁଳିଆ: ଆଳୁ ବସ୍ତାକୁ ୩୦୦ ଟଙ୍କା । ମାନେ କେଜିକୁ ୬ ଟଙ୍କା । ଆପଣଙ୍କୁ ଅବିଶ୍ବାସ ଲାଗିଲେ ବି ସତ। ବାଲେଶ୍ବର ଜିଲ୍ଲା ଖଇରା ଅଂଚଳରେ ୫୦ କେଜି ବିଶିଷ୍ଟ ଆଳୁ ବସ୍ତାକୁ ୩୦୦ ଟଙ୍କା ଦରରେ ବିକ୍ରି ହୋଇଛି। ଫଳରେ ଆଳୁ କିଣିବାକୁ ଭିଡ଼ ଲାଗିଥିଲା । ଖଇରା ବ୍ଲକ କୋଚିଆକୋଇଲିଠାରେ ହଠାତ ଏକ ଆଳୁ ଭର୍ତ୍ତି ୧୨ ଚକିଆ ଟ୍ରକ ଆସି ପହଞ୍ଚିଥିଲା l ଆଳୁ ଶସ୍ତାରେ ବିକ୍ରି ହେଉଥିବା ଖବର ପାଇ ସ୍ଥାନୀୟ ଲୋକମାନେ କିଣିବାକୁ ଧାଡ଼ି ଲଗାଇଥିଲେ । ଏବେ ବଜାରରେ ଆଳୁ ବସ୍ତାର ଦାମ ୭୦୦ ଟଙ୍କା ରହିଥିବାବେଳେ କିପରି କମ ଦାମରେ ଆଳୁ ବିକ୍ରି ହେଉଛି ସେନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । କିନ୍ତୁ ଗାଡ଼ି ଲାଗିବା ମାତ୍ରେ ଲୋକେ ଗାଡ଼ି ପାଖରେ ଭିଡ଼ ଜମାଇଥିଲେ । ଆଳୁ କିଣିବା ପାଇଁ ପ୍ରତିଯୋଗିତା ଲାଗିଥିଲା । କିଏ ୫ ବସ୍ତା ତ ଆଉ କିଏ ୧୦ ବସ୍ତା ଏଭଳି ବୋହି ନେଇଥିଲେ ଲୋକେ । ବଜାରରେ ଏବେ ଚଢ଼ା ଦରରେ ମିଳୁଥିବାବେଳେ ଏତେ ଶସ୍ତାରେ ମିଳୁଥିବାରୁ ଲୋକେ ଆଗ୍ରହର ସହ ବୋହି ନେଇଥିଲେ । ତେବେ ଏହି ଆଳୁ ଏତେ ଶସ୍ତାରେ କେମିତି ବିକ୍ରି କରୁଛନ୍ତି ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆରମ୍ଭ ହୋଇଛି ଚର୍ଚ୍ଚା ।