ବାଲିଯାତ୍ରା: ମଉଜ ଭରପୁର, ମଜା ଉଠାଉଛନ୍ତି ଲୋକେ

କଟକ: ବାଲିଯାତ୍ରା ଆଣି ଦେଇଛି ମଉଜର ଭରପୁର ସୁଯୋଗ । ଏହାକୁ ହାତଛଡ଼ା କରୁନାହାନ୍ତି ଲୋକେ । ମେଳାରେ ଦୋଳି, ଖେଳ, ଚଟପଟି ଖାଦ୍ୟ ସାଙ୍ଗକୁ କିଣାକିଣି ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜମୁଛି ଭିଡ଼ । ସମସ୍ତଙ୍କ ଆକର୍ଷଣ ସାଜିଛି ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତତନ୍ତ ସାମଗ୍ରୀ । କିନ୍ନର ଓ ଦିବ୍ୟାଙ୍ଗଙ୍କୁ ପ୍ରଶାସନ ମାଗଣା ଷ୍ଟଲ ଯୋଗାଇ ଦେଇଥିବାରୁ ସେମାନେ ବି ଲାଭବାନ ହୋଇଛନ୍ତି । ସେପଟେ ଯାତ୍ରାକୁ ଗୋଟିଏ ଦିନ ବଢା ଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ବ୍ୟବସାୟୀ ।

ବାଲିଯାତ୍ରାରେ ଜମୁଛି ଦୋଳି ଖେଳର ମଜା । ଡ୍ରାଗନ, ରାମଦେଳି, ଟୋରାଟୋରା, ବ୍ରେକଡ୍ୟାନ୍ସ ଏମିତି କେତେ କ’ଣ । ଚିକମିକ୍ ଆଲୋକ ସାଙ୍ଗକୁ ମହାନଦୀ କୂଳରେ କିଣାକିଣି ଓ ଚଟପଟି ଖାଦ୍ୟର ପସରା । ଠୁଙ୍କାପୁରୀ ସାଙ୍ଗକୁ ଛେନାକୋବି କଷା, ମାଲପୁଆ ସହ ଡାଲମା, ରସାବଳି, କଟକ ପ୍ରସିଦ୍ଧ ବରା ଆଲୁଦମ୍, ମୁଢ଼ି ମାଂସ ସାଙ୍ଗକୁ ବିଭିନ୍ନ ଫ୍ଲେବରର ଆଇସକ୍ରିମ ଖାଇବାକୁ ଲୋକଙ୍କ ଭିଡ଼ ।

ଜାତୀୟ ପଲିଶ୍ରୀ ମେଳାରେ ହସ୍ତତନ୍ତ ସାମଗ୍ରୀ ଲୋକଙ୍କୁ ଆକୃଷ୍ଟ କରୁଛି । ଜମ୍ମୁ ଓ କାଶ୍ମୀରର ସିଲ୍‌କ ଶାଢ଼ୀ, ସାଲ୍, ପଶମୀନା, ଏମ୍ବ୍ରୋଡରି ଷ୍ଟଲ, କନିକ ସିଲ୍‌କ । ଗୁଜୁରାଟ କାଠିଆଓ୍ବାଡି ଲେହେଙ୍ଗା, କର୍ମକାରୀ ଆଦି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ସାଜିଛି । ଏହାସହ ଭେରାଇଟ କଟନ ସିଲକ ତିଆରି ପୋଷକର ରହିଛି ଢେର ଚାହିଦା । ଏହି ବ୍ୟବସାୟୀମାନେ ୧୨ ବର୍ଷ ହେଲା ଜାମ୍ମୁ ଓ କାଶ୍ମୀର, ହାଇଦ୍ରାବାଦ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ବନାରସ ଓ ତାମିଲନାଡୁ ଆସି ବ୍ୟବସାୟ କରୁଥିବା କହିଛନ୍ତି ।

ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ତରଫରୁ ବାଲିଯାତ୍ରାରେ କିନ୍ନର ଓ ଦିବ୍ୟଙ୍ଗଙ୍କୁ ଯୋଗାଇ ଦିଆଯାଇଛି ଷ୍ଟଲ୍ । ମାଗଣାରେ ୪୪ଟି ଷ୍ଟଲ ଯୋଗାଇ ଦିଆଯିବା ସହ ସେମାନଙ୍କର ରାତ୍ରି ରହଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାଜ୍ୟର ବହୁ ଜିଲ୍ଲାର ଅନେକ ଦିବ୍ୟଙ୍ଗ ଆଉ କିନ୍ନର ଏଥିରେ ଯୋଗଦେଇ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି । ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଚଳିତବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳୁଛି ଅନେକ ନୂଆ ନୂଆ କଥା । ବାଲିଯାତ୍ରାକୁ ନିଆରା କରିବା ସହିତ ସବୁ ବର୍ଗକୁ ଏଥିରେ ସାମିଲ କରିବାକୁ ଚେଷ୍ଟା କରିଛି ଜିଲ୍ଲା ପ୍ରଶାସନ ।