ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ସୀମାର ୨ ଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧିବେଶନ। ତେବେ ଚଳିତ ଥର ପେଗାସସ ଓ କୃଷି ଆଇନ ପ୍ରସଙ୍ଗରେ ଗୃହ ଆରମ୍ଭରୁ ରହିଥିଲା ଅଚଳ। ଏହି ଦୁଇ ଘଟଣାରେ ସରକାରଙ୍କୁ ଘେରିଥିଲେ ପ୍ରାୟ ସମସ୍ତ ବିରୋଧୀ ଦଳ । ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ସ୍ବଳ୍ପ ସମୟ ଲାଗି ଚାଲିଥିଲା ।

ସୂଚନା ଅନୁଯାୟୀ,  ଲୋକସଭା ନିର୍ଦ୍ଧାରିତ ୯୬ ଘଣ୍ଟା ବଦଳରେ ଚାଲିଥିଲା ମାତ୍ର ୨୧ ଘଣ୍ଟା ୧୪ ମିନଟ । ଏହି ସମୟରେ ୧୩ଟି ବିଲ୍ ଆଗତ ହୋଇଥିଲା ଏବଂ ୨୦ଟି ବିଲ୍ ଗୃହୀତ ହୋଇଥିଲା । ଏଥିରେ ଗୁରୁତ୍ବପୂର୍ଣ୍ଣ ବିଲ ଥିଲା ସମ୍ବିଧାନର ୧୨୭ତମ ସଂଶୋଧନ ବିଲ ଯାହାକି ଓବିସି ବିଲ୍ ଲାଗି ଉଦ୍ଦିଷ୍ଟ ଥିଲା । ଏହାସହ ସାଧାରଣ ବୀମା ବ୍ୟବସାୟ ଜାତୀୟକରଣ ସଂଶୋଧନ ବିଲ୍ ବି ଗୃହୀତ ହୋଇଥିଲା ।

ସେହିପରି ରାଜ୍ୟସଭା ନିର୍ଦ୍ଧାରିତ ୯୭ଘଣ୍ଟା ବଦଳରେ ଚାଲିଥିଲା ମାତ୍ର ୨୮ ଘଣ୍ଟା ୨୧ ମିନିଟ । ନଷ୍ଟ ହୋଇଥିଲା ୭୬ ଘଣ୍ଟା ଓ ୨୬ ମିନିଟ । ରାଜ୍ୟସଭାରେ ମୋଟ ୧୯ଟି ବିଲ୍ ଗୃହୀତ ହୋଇଥିଲା ଏବଂ ୪ଟି ବିଲ୍ ଆଗତ ହୋଇଥିଲା । ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ଅଧିବେଶନ ଥିଲା ସବୁଠାରୁ କମ ସମୟ ଲାଗି ଚାଲିଥିବା କ୍ଷେତ୍ରରେ ଚତୁର୍ଥ ଅଧିବେଶନ । ଏହି ଅଧିବେଶନରେ ରାଜ୍ୟସଭାର କାର୍ଯ୍ୟକାରିତା ହାର ରହିଥିଲା ୨୧ ପ୍ରତିଶତ ଓ ଲୋକସଭାର କାର୍ଯ୍ୟକାରିତା ହାର ରହିଥିଲା ୨୮ ପ୍ରତିଶତ । ୨୦ ବର୍ଷ ମଧ୍ୟରେ ୨୦୧୦ରେ ହୋଇଥିଲା ସବୁଠାରୁ କମ୍ ସମୟ ଲାଗି ଅଧିବେଶନ ।

ରାଜ୍ୟସଭା ଲାଗି କାର୍ଯ୍ୟକାରିତା ହାର ରହିଥିଲା ୨ ପ୍ରତିଶତ ଏବଂ ଲୋକସଭା ଲାଗି ରହିଥିଲା ୬ ପ୍ରତିଶତ । 2ଜି ସ୍ପେକ୍ଟ୍ରମ ଦୁର୍ନୀତିକୁ ନେଇ ଗୃହ କାର୍ଯ୍ୟ ରହିଥିଲା ଅଚଳ । ୨୦୧୩ରେ ସ୍ବତନ୍ତ୍ର ତେଲଙ୍ଗାନା ରାଜ୍ୟକୁ ନେଇ ଗୃହ କାର୍ଯ୍ୟ ଅଚଳ ରହିଥିବା ବେଳେ ୨୦୧୩ ଓ ୨୦୧୬ରେ ଲୋକସଭାର କାର୍ଯ୍ୟକାରିତା ହାର ରହିଥିଲା ୧୫ ପ୍ରତିଶତ । ୨୦୧୮ରେ ଲୋକସଭାର କାର୍ଯ୍ୟକାରିତା ହାର ଥିଲା ୨୧ ପ୍ରତିଶତ । ୨୦୧୯ର ବଜେଟ ଅଧିବେଶନର ଅବସ୍ଥା ବି ତଦ୍ରୁପ ଥିଲା । ନିର୍ଦ୍ଧାରିତ ୧୩ ଦିନର ଅଧିବେଶନ କାଳରେ ରାଫେଲ ଦୁର୍ନୀତି ପ୍ରସଙ୍ଗରେ ଉଭୟ ଗୃହ ଆଦୌ ଚାଲିପାରି ନଥିଲା । ଏହି କାଳରେ ଲୋକସଭାର କାର୍ଯ୍ୟକାରିତା ହାର ଥିଲା ନଗଣ୍ୟ ୭ ପ୍ରତିଶତ । ୨୦୧୫ରେ ବ୍ୟାପମ ଦୁର୍ନୀତି ଓ ଲଳିତ ମୋଦି ପ୍ରସଙ୍ଗରେ ଗୃହକାର୍ଯ୍ୟ ବ୍ୟାଘାତ ହୋଇଥିଲା ଏବଂ ରାଜ୍ୟସଭାର କାର୍ଯ୍ୟକାରିତା ହାର ଥିଲା ମାତ୍ର ୯ ପ୍ରତିଶତ ।

Leave a Reply