ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସସପେଣ୍ଡ ହୋଇଥିବା ସାଂସଦଙ୍କ ଧାରଣା

1 min read

ନୂଆଦିଲ୍ଲୀ : ସଂସଦ ଭିତରେ ଓ ବାହାରେ ହଙ୍ଗାମା ପ୍ରସଙ୍ଗ। ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହୋହଲ୍ଲା କରିଥିବା ୧୪ ସାଂସଦଙ୍କୁ ସସପେଣ୍ଡ କରିବା ପ୍ରତିବାଦରେ ତାତିଛନ୍ତି ବିରୋଧୀ । ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଗୃହରେ ସରକାର ବିବୃତି ରଖିବା ଦାବି ନେଇ ସାଂସଦମାନେ ହଙ୍ଗାମା କରିବାରୁ ୧୩ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ଗୃହରୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୯, ସିପିଏମର ୨, ଡିଏମକେର ୨, ସିପିଆଇର ଜଣେ ସାଂସଦ।

ସେପଟେ ସଂସଦ ଭବନ ବାହାରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସସପେଣ୍ଡ ହୋଇଥିବା ସାଂସଦଙ୍କ ଧାରଣାସ୍ଥଳକୁ ଯାଇ ଭେଟିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି- ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ସରକାର କାର୍ଯ୍ୟ କରୁଛନ୍ତି । ସଂସଦ ଭବନ ଭିତରେ ହଙ୍ଗାମା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଗୃହରେ ପ୍ରବଳ ବାକ୍ ବିତଣ୍ଡା କାରଣରୁ ଲୋକସଭାକୁ ଅପରାହ୍ଣ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା । ସେପଟେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟ ନେତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି ।