ପରିକ୍ରମା ପ୍ରକଳ୍ପ ଯଜ୍ଞଶାଳାରେ ଚାଲିଛି ମନ୍ତ୍ରପାଠ, ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି

ପୁରୀ: ମନ୍ତ୍ରଧ୍ବନିରେ ମୁଖରିତ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ମହାଯଜ୍ଞ  । ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଛି ଶଙ୍ଖକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ପାଇଁ ଅଧିକ ଉତ୍ସବମୁଖର ହୋଇପଡ଼ିଛି ପୁରୀ । ସାରା ସହର ସହ ସଜେଇ ହୋଇଛି ବଡ଼ଦାଣ୍ଡ  । ପରିକ୍ରମା ପ୍ରକଳ୍ପ ଯଜ୍ଞଶାଳାରେ ଚାଲିଛି ମନ୍ତ୍ରପାଠ  । ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି ।

ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଜାନୁଆରୀ ୧୭, ୨୦୨୪, ପୌଷମାସ ଶୁକ୍ଳପକ୍ଷ ସପ୍ତମୀ ତିଥି । ଏହି ସ୍ମରଣୀୟ ମୁହୂର୍ତ୍ତକୁ ଆଉ କିଛି ଘଣ୍ଚା ବାକି ରହିଲା । ଏହାପୂର୍ବରୁ ସାହିଜାତ ସଂକୀର୍ତ୍ତନ ସାଙ୍ଗକୁ ମନ୍ଦିର ଚାରିପାଖେ ବେଦ ଓ ମନ୍ତ୍ର ପାଠର ଧ୍ବନି ଦିବ୍ୟ ଅନୁଭବ ପ୍ରଦାନ କରୁଛି । ଆଜି ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ । କାଲି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ ।

ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି ।ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ପ୍ରଦକ୍ଷିଣ ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ରହିଛି ଚଲାପଥ ରହିଛି । ମୌଳିକ ସୁବିଧା ଉପଲବ୍ଧ ରହିଥିବା ବେଳେ ୫୦ରୁ ଅଧିକ ବ୍ୟାଟେରୀ ଗାଡ଼ି ଦ୍ୱାରା ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ପ୍ରଦକ୍ଷିଣ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି  ।