ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୧୯ ଦିନ ମଧ୍ୟରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ । କିନ୍ତୁ ଏଥର ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଶୀତ ଅଧିବେଶନ ଡିସେମ୍ବର ମାସରୁ ଆରମ୍ଭ ହେଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଉଥିବା ବେଳେ ତା’ପର ଦିନଠାରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ନୂଆ ସଂସଦ ଭବନରେ ବସିବ ଏହି ଅଧିବେଶନ । ଗତ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା।