ଟଙ୍କା ଜମା ଓ ଉଠାଣ ନେଇ ସିବିଡିଟିର ନୂଆ ନିୟମ, ବର୍ଷକୁ ୨୦ ଲକ୍ଷ ରଖିଲେ ପ୍ୟାନ୍ କାର୍ଡ ବାଧ୍ୟ

ନୂଆଦିଲ୍ଲୀ: ଆପଣ ବ୍ୟାଙ୍କରେ ବର୍ଷକୁ ୨୦ ଲକ୍ଷରୁ ଅଧିକ ଟଙ୍କା ରଖୁଛନ୍ତି କି ? ତେବେ ସ୍କାନରରେ ରହିବେ ଆପଣ । ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିବା କିମ୍ବା ଉଠାଣ କରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ାକଡ଼ି ହୋଇଛି ନିୟମ । ବ୍ୟାଙ୍କ ଓ ପୋଷ୍ଟ ଅଫିସର ନିୟମ ବଦଳାଇଲେ ସରକାର । ବ୍ୟାଙ୍କ, ଡାକଘର ଓ ସମବାୟ ସଂସ୍ଥାରେ ୨୦ ଲକ୍ଷରୁ ଅଧିକ ପରିମାଣର  ଟଙ୍କା ଜମା କରୁଥିବା କିମ୍ବା ଉଠାଣ କରୁଥିବା ଲୋକମାନଙ୍କ ପାଇଁ ନିୟମ କଡ଼ାକଡ଼ି କରିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି । ଏହି ନୂଆ ନିୟମ ଅନୁସାରେ ଯେଉଁବ୍ୟକ୍ତି ବର୍ଷକୁ ୨୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ରଖିଲେ ଏବଂ ଉଠାଇଲେ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ କରିଛନ୍ତି ।

ସିବିଡିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି କି ଯେଉଁ ବ୍ୟକ୍ତି ଟଙ୍କା ଜମା ଓ ଉଠାଇବା ସମୟରେ ଆଧାର କିମ୍ବା ପ୍ୟାନ୍ ନମ୍ବର ଦେବେ । ସେହିପରି ଆହୁରି ମଧ୍ୟ କୁହାଯାଇଛି କି ଯିଏ ଉକ୍ତ କାଗଜ ଗ୍ରହଣ କରୁଛନ୍ତି ସିଏ ମଧ୍ୟ ଦେଖିବେ ଯେ ସଂପୃକ୍ତ ଗ୍ରାହକଙ୍କ ଆଧାର ନମ୍ବର କିମ୍ବା ପ୍ୟାନ ନମ୍ବର ଠିକ୍ ଭାବେ ଉଲ୍ଲେଖ କରାଯାଇଛି  । ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କ ଆଧାର ନମ୍ବର ବା ପ୍ୟାନ ନମ୍ବର ସହିତ ଅନ୍ୟାନ ସୂଚନା ଆୟକର ବିଭାଗର ପ୍ରଧାନ ମହାନିର୍ଦ୍ଦେଶକ କିମ୍ବା ଆୟକର ବିଭାଗର ମହାନିର୍ଦ୍ଦେଶକ କିମ୍ବା ଏମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ଜମା କରାଯିବ ।

ଏହି ନିୟମ ବ୍ୟାଙ୍କ ସହିତ ଡାକଘର ଓ ସମବାୟ ସମିତି ପାଇଁ ମଧ୍ୟ  ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଗୋଟିଏ କିମ୍ବା ଏକାଧିକ ଆକାଉଣ୍ଟରେ ଟଙ୍କା ଜମା କିମ୍ବା ଉଠାଣ ରାଶି ୨୦ ଲକ୍ଷ ଟଙ୍କାରୁ ଅଧିକ ହେଲେ ପ୍ୟାନ ଓ ଆଧାର ନମ୍ବର ଉଲ୍ଲେଖ କରିବାକୁ ହେବ।

ଏହି ନିୟମ ପୂର୍ବରୁ ଦିନକୁ ଯଦି ୫୦ ହଜାର ଟଙ୍କାରୁ ଅଧିକ ଜମା କରୁଥିଲେ ସେଥିପାଇଁ ପ୍ୟାନ୍ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ ଥିଲା । କିନ୍ତୁ ବାର୍ଷିକ ସୀମା କିଛି ନଥିଲା । ସେହିପରି ଟଙ୍କା ଉଠାଣ ପାଇଁ ବର୍ତ୍ତମାନ ଯେଉଁ ନିୟମ କରାଯାଇଛି ପୂର୍ବରୁ ତାହା ନଥିଲା । ନୂଆ ନିୟମ ଚଳିତ ମାସ ୨୬ ତାରିଖରୁ କାର୍ଯ୍ୟକାରୀ ହେବ । ତେଣୁ ଯେଉଁମାନଙ୍କର ଏଭଳି କାରବାର କରିବେ ସେମାନେ ପ୍ୟାନ୍ ନମ୍ବର ସଂଗ୍ରହ କରିନେବା ଆବଶ୍ୟକ । ନଚେତ ଏଭଳି କାରବାର ସେମାନେ କରିପାରିବେ ନାହିଁ ।