ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗ

ଭୁବନେଶ୍ବର: ପଦ୍ମପୁର ବିଧାୟକଙ୍କ ଅକାଳ ବିୟୋଗ । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ବିଧାୟକଙ୍କର ପରଲୋକ ହୋଇଛି । ଅସୁସ୍ଥତା କାରଣରୁ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ ବିଜୟ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ହୋଇଥିଲେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ୬୫ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ପଦ୍ମପୁରରୁ ୫ଥର ବିଧାୟକ ଥିଲେ ବିଜୟ ।

୧୯୯୦ରୁ ୨୦୦୦ମସିହା ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ ଓ ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ବିଜେଡିର ଜଣାଶୁଣା ଟାଣୁଆ ନେତା ଥିଲେ ବିଜୟ । ୨୦୦୯ ମସିହାରେ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ପଶ୍ଚିମ ଓଡ଼ିଶା ରାଜନୀତିରେ ବରିହାଙ୍କ ଦକ୍ଷତା ରହିଥିଲା  ।

କିଛିଦିନ ହେବ ଓଡ଼ିଶା ରାଜନୀତିରେ ଜଣେ ପରେ ଜଣେ ବିଧାୟକଙ୍କ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି  । କିଛିଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଘଟିଥିଲା  । ଲୋକପ୍ରିୟ ବିଜେପି ନେତା ବିଷ୍ଣୁଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଥିଲା  । ପୁନର୍ବାର ଜଣେ ବିଧାୟକଙ୍କ ମୃତ୍ୟୁ ଘଟିଛି  । ଯାହା ଓଡ଼ିଶା ରାଜନୀତିରେ କାହାର ନଜର ଲାଗିବା ଭଳି ମନେ ହେଉଛି  । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ୬୫ ବର୍ଷ ବୟସରେ ମୃତ୍ୟୁ ଘଟିଛି  ।