ଟଙ୍କା ବାଣ୍ଟିବା ବେଳେ ବିଜେପି କାଉନସିଲରଙ୍କୁ ଧରିଲେ ଲୋକେ

ପଦମପୁର: ଭୋଟ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ପ୍ରଲୋଭିତ କରିବାକୁ ବିଜେପି ନେତାଙ୍କ ଉଦ୍ୟମ । ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ବିଜେପି କାଉନସିଲର ଚିନ୍ମୟ ପଣ୍ଡା । ବୁଥରେ ଥିବା ଭୋଟର ଚିନ୍ମୟଙ୍କୁ ଧରି ଦେଲେ ପୋଲିସ ଜିମା । ଏମିତି ଘଟଣା ଘଟିଛି ପଦମପୁର ୯ ନମ୍ବର ଓ୍ବାର୍ଡ ଚନ୍ଦ୍ରାବତୀ ସ୍କୁଲ ବୁଥରେ । ବୁଥ୍‌ ପରିସରରେ ଲାଇନରେ ଥିବା ମହିଳାଙ୍କୁ ଚିନ୍ମୟ ଟଙ୍କା ବାଣ୍ଟୁଥିବା ଲୋକେ ଦେଖି ପୋଲିସ ଜିମା ଦେଇଛନ୍ତି ।

ସେହିପରି ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ସ୍ଥାନୀୟ ଲୋକଙ୍କୁ ୩୦୦ ଲେଖାଏଁ ଟଙ୍କା ବାଣ୍ଟିବା ବେଳେ ଧରିଲେ ଲୋକେ ।

ସୂଚନାଯୋଗ୍ୟ, କେବଳ ବିଜେପି ନେତା ନୁହଁନ୍ତି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଛି । ଅର୍ଗସ ଟିଭିର ଟିମ୍ ପଦମପୁରରେ ଡେରା ପକାଇ ଭୋଟରଙ୍କୁ ପ୍ରଲୋଭିତ କରିବା ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା । ଅର୍ଗସ ଟିଭିର ଟିମ୍ ସ୍ଥାନୀୟ ଲୋକଙ୍କୁ ଟଙ୍କା ଦେଇ କ୍ୟାମେରା ଆଗରେ ବିଜେଡି ଟଙ୍କା ବାଣ୍ଟୁଥିବା କହିବାକୁ ବାଧ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ଅନ୍ୟପଟେ ପ୍ରଚାର ସମୟରେ ବିଜେପିର ଗୁଣ୍ଡାରାଜ ମଧ୍ୟ ଦେଖିବାକୁ ମିଳିଥିଲା । ଛତିଶଗଡ଼ର ଗୁଣ୍ଡା ଆସି ବିଜେପିକୁ ଭୋଟ ଦେବାକୁ ପଦମପୁରବାସୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା ।

ତେବେ ସେତିକିରେ ସୀମିତ ନଥିଲା ବିଜେପିର ଅରାଜକତା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରିବାକୁ ମଧ୍ୟ ପଛାଇ ନାହିଁ ଦଳ । ଗୋଟିଏ ପଟେ ବିଜେଡି ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାରରେ ଆସି ପଦମପୁରବାସୀଙ୍କୁ ମିଛ କହି ଭୁଆଁ ବୁଲାଇଥିବା ଦେଖିବାକୁ ମିଳିଥିଲା ।

ହାରିବା ଭୟରେ ବିଜେପିର ଏମିତି ଆଚରଣ ପଦମପୁରର ସ୍ବାଭିମାନୀ ବାସିନ୍ଦାଙ୍କୁ ହୃଦୟକୁ ବାଧିଛି । ଯାହାର ଜବାବ ଭୋଟରେ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ବିଜେପିକୁ ଖୋଲା ଚେତାବନୀ ଦେଇଥିଲେ ।