ଅକ୍ସଫାମର ଆଶ୍ଚର୍ଯ୍ୟଜନକ ରିପୋର୍ଟ: ଖାଦ୍ୟାଭାବ ଯୋଗୁଁ ବିଶ୍ୱରେ ପ୍ରତି ୧ ମିନିଟରେ ୧୧ ଜଣ ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ: ବିକାଶର ଭୂଗୋଳରେ ଭୋକର ଜ୍ୱାଳା । ବଢ଼ିଚାଲିଛି ବିଲିୟନ ବିଲିୟନ ଡଲାର ନିବେଶ । ଆହ୍ୱାନର ସିଡିରେ ଲମ୍ବିଚାଲିଛି ଯୋଜନା ପରେ ଯୋଜନା । ହେଲେ ନୂଆ ଆକଳନ ଦେଇଛି ଛାତି ଥରାଇଦେବା ପରି ତଥ୍ୟ । ବିଶ୍ୱରେ ପ୍ରତି ମିନଟରେ କ୍ଷୁଧାରେ ପ୍ରାଣ ହରାଉଛନ୍ତି ୧୧ ଜଣ । କରୋନାଠାରୁ ବି ଭୟଙ୍କର ସାଜିଛି କ୍ଷୁଧା । ଏହି ଚିନ୍ତାଜନକ ତଥ୍ୟ ଦେଇଛି ଅକ୍ସଫାମ । ଏହି ତଥ୍ୟ ପ୍ରମାଣିତ କରୁଛି ବିଶ୍ୱରେ ଏକ ଦୁର୍ଭିକ୍ଷ ପରି ସ୍ଥିତି ଜାରି ରହିଛି । ଗତବର୍ଷ ତୁଳନାରେ ଏହି ସଂଖ୍ୟା ୬ଗୁଣ ବୃଦ୍ଧି ପାଇଛି । ଏପରିକି ମହାମାରୀ କରୋନାରେ ପ୍ରତି ମିନଟରେ ୭ ଜଣ ପ୍ରାଣ ହରାଉଥିବାବେଳେ କ୍ଷୁଧାରେ ୧୧ ଜଣ ପ୍ରାଣ ହରାଉଛନ୍ତି । କରୋନା ଝଡ଼ ଓ କ୍ଷୁଧାର ଜ୍ୱାଳା ବିଶ୍ୱରେ ଏକ ଅଭୁତପୂର୍ବ ସଙ୍କଟ ସୃଷ୍ଟି କରିଛି । ଏହି ସଙ୍କଟ ଏବେ ତୀବ୍ର ଆକାର ଧାରଣ କରୁଛି ବୋଲି କହିଛନ୍ତି ଅକ୍ସଫାମ ଆମେରିକା ସଭାପତି ତଥା ସିଇଓ ଆବେ ମାକ୍ସମ୍ୟାନ । ବର୍ତ୍ତମାନ ବିଶ୍ୱରେ ୧୫ କୋଟି ୫୦ ଲକ୍ଷ ଲୋକ ଖାଦ୍ୟ ନିରପତ୍ତାରୁ ବଞ୍ଚିତ ହୋଇଛନ୍ତି । ଗତ ବର୍ଷଠାରୁ ଏହି ସଂଖ୍ୟା ୨ କୋଟି ଅଧିକ । ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସେମାନଙ୍କ ଦେଶରେ ଚାଲିଥିବା ସାମିରକ ବିବାଦ ଯୋଗୁ ଖାଦ୍ୟାଭାବର ଶିକାର ହୋଇଛନ୍ତି । ହେଲେ ବିଶ୍ୱରେ ସାମରିକ ଖର୍ଚ୍ଚ କମୁନାହିଁ । ଦିନକୁ ଦିନ ବଢିଚାଲିଛି ସାମରିକ ଖର୍ଚ୍ଚ । କରୋନା କାଳରେ ଜନଜୀବନ ବହୁ ବିପଦର ସମ୍ମୁଖୀନ ହେଉଥିବାବେଳେ ସାମରିକ ଖର୍ଚ୍ଚ ବୃଦ୍ଧି କରାଯାଉଛି । ବର୍ତ୍ତମାନ ସାମରିକ ଖର୍ଚ୍ଚ ପରିମାଣ ୫୧ ବିଲିୟନ ଡଲାର ବୃଦ୍ଧି ପାଇଛି । କ୍ଷୁଧା ଦୂର କରିବା ଲାଗି ଯେତିକି ଅର୍ଥ ଆବଶ୍ୟକ ଏହି ପରିମାଣ ତା’ଠାରୁ ୬ ଗୁଣ ଅଧିକ । ଆଫଗାନିସ୍ତାନ, ଇଥିଓପିଆ, ଦକ୍ଷିଣ ସୁଦାନ, ସିରିୟା ଓ ୟେମନରେ କ୍ଷୁଧାର ସ୍ଥିତି ଭୟଙ୍କର ବୋଲି ରିପୋର୍ଟରେ କୁହାଯାଇଛି ।

Leave a Reply