ଏଣିକି ତୁରନ୍ତ ଜମି ରେକର୍ଡରେ ହେବ ସଂଶୋଧନ

1 min read

ଭୁବନେଶ୍ବର/କଟକ/ଯାଜପୁର: ବର୍ଷ ବର୍ଷ ଧରି ଜମି ରେକର୍ଡ ସଂଶୋଧନ ହେଉନି । ମୃତ ବ୍ୟକ୍ତିର ଉତ୍ତରାଧିକାରୀଙ୍କ ନାମ ଜମି ପଟ୍ଟାରେ ଦରଜ ହେଉନି । ଫଳରେ ବିଭିନ୍ନ ସରକାରୀ ଯୋଜନା ସୁଫଳ ଅସଲ ହିତାଧିକାରୀ ପାଇ ପାରୁନାହାନ୍ତି । ଓଡ଼ିଶା ଭୂ-ସଂସ୍କାର ଆଇନ ଅନୁଯାୟୀ ଏଣିକି ତୁରନ୍ତ ରେକର୍ଡ ସଂଶୋଧନ କରାଯିବ । ରାଜସ୍ବ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । କ୍ୟାମ୍ପ କୋର୍ଟ କରି ନିଜ ଆଡୁ ଦୈନିକ ୨୦୦ଟି ମାମଲା ଫଇସଲା କରିବାକୁ ନେଇଛି ନିଷ୍ପତ୍ତି ।

ବାପାଙ୍କ ସ୍ବର୍ଗବାସ ହେଲାଣି । ହେଲେ ବାପାଙ୍କ ନାମରେ ଥିବା ଜମି ପଟ୍ଟା ପୃଥକୀକରଣ ହୋଇପାରିନି । ଜମିର ପଟ୍ଟାରେ ଏକାଧିକ ଜମି ମାଲିକଙ୍କ ନାମ ଦରଜ ଥିବାରୁ ଭାଗବଣ୍ଟା ହୋଇପାରୁନି । ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅସଲ ଉତ୍ତରାଧିକାରୀ । ଓଡ଼ିଶା ଭୂ-ସଂସ୍କାର ଆଇନ ୧୯୬୦ର ଧାରା ୧୯ ଉପଧାରା ୧ସି ଅନୁଯାୟୀ ସାବକ ପଟ୍ଟାର ହାଲ୍ ମାଲିକ କିଏ ତାହା ଜାଣି ହେଉନାହିଁ । ପଟ୍ଟା ନଥିବାରୁ ମିଳୁନି ରାସନକାର୍ଡ, ବ୍ୟାଙ୍କ ଋଣ, କୃଷି ଇନପୁଟ ସବସିଡି ସମେତ ବିଭିନ୍ନ ସରକାରୀ ଯୋଜନାର ସହାୟତା । ଏପରିକି ପିଏମ୍ କିଷାନ ସହାୟତା ପ୍ରଦାନରେ ବି ଅସୁବିଧା ହେଉଛି । ଖୁବଶୀଘ୍ର ରେକର୍ଡ ସଂଶୋଧନ କରି ପ୍ରକୃତି ହିତାଧିକାରୀଙ୍କ ନାମରେ ଜମି ପଟ୍ଟା ଦେବା ସହିତ ରେକର୍ଡ ସଂଶୋଧନ କରି ଅପଡେଟ୍ କରିବାକୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ଓ ତହସିଲଦାର । କ୍ୟାମ୍ପ କୋର୍ଟ କରି ଦୈନିକ ୨୦୦ଟି ମାମଲା ଫଇସଲା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜସ୍ବ ବିଭାଗରୁ ନିର୍ଦ୍ଦେଶ ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ରେକର୍ଡ ସଂଶୋଧନ କରିବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯୬୦ ଓ ୧୯୯୦ରେ ଶେଷଥର ପାଇଁ ଭୂ-ବନ୍ଦୋବସ୍ତ ହୋଇଥିଲା । ତା’ପରଠୁ ଆଉ ବନ୍ଦୋବସ୍ତ ହୋଇନାହିଁ । ଯଦି ଏପରି କିଛି ବେ ବନ୍ଦୋବସ୍ତ ଜମି ଥିବା ତାକୁ ମଧ୍ୟ ଆଇନ ଅନୁଯାୟୀ ସମାଧାନ କରାଯିବ । ଏହା ସହିତ ଓଡ଼ିଶା ସର୍ଭେ ଓ ବନ୍ଦୋବସ୍ତ ଅଧିନିୟମ ୧୯୬୨ର ଧାରା ୩୪ ଆଧାରରେ ନିଜ ଆଡୁ ତହସିଲଦାର ଓ ରାଜସ୍ବ ନିରୀକ୍ଷକମାନେ ଜମି ରେକର୍ଡ ସଂଶୋଧନ କରି ଅପଡେଟ୍ କରିବେ ।

ଜମି ପଟ୍ଟା ସଂଶୋଧନ ପାଇଁ ଗାଁ ଗାଁରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜସ୍ବ ରଥ ବୁଲିବ । ଏହା ସହିତ ଏହି ରେକର୍ଡ ସଂଶୋଧନ କାର୍ଯ୍ୟ କିପରି ତ୍ବରାନ୍ବିତ ହେବ ସେଥିପାଇଁ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନେ ବି କ୍ୟାମ୍ପ କୋର୍ଟ କରି ତଦାରଖ କରିବେ ।