କେନ୍ଦ୍ର ବିରୋଧରେ ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ଆଜି ଗୃହରେ ଚର୍ଚ୍ଚା ନେଇ କଂଗ୍ରେସର ଦାବି

ନୂଆଦିଲ୍ଲୀ: ସଂସଦରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହୋଇପାରେ ଆଲୋଚନା । ମଣିପୁର ପ୍ରସଙ୍ଗରେ ୫ ଦିନ ଧରି ପାର୍ଲାମେଣ୍ଟ ଅଚଳ । ଉଭୟ ଗୃହରେ ଗତିରୋଧ ଜାରି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ମହାମେଣ୍ଟ ଇଣ୍ଡିଆ । ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ ଆଜି ଚର୍ଚ୍ଚା ହେବା ପାଇଁ ଦାବି କରିଛି କଂଗ୍ରେସ । ତେବେ ସଂଖ୍ୟା ଗଣିତରେ ସରକାର ପାସ୍ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ସଂସଦରେ ଉପସ୍ଥିତ ରହିବାକୁ ବିରୋଧୀ ଚାଲ ଖେଳିଛନ୍ତି । ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ, ଅନାସ୍ଥା ଭୋଟ ପରେ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ଅଭିଭାଷଣ ରଖିବାକୁ ହେବ । ପ୍ରଧାନମନ୍ତ୍ରୀଙ୍କୁ ସଂସଦ ଆସିବାକୁ ବାଧ୍ୟ କରିବାର ଅନ୍ୟ ଉପାୟ ନଥିଲା ବୋଲି କହିଛନ୍ତି ବିରୋଧୀ ସାଂସଦ ।

ଏପଟେ ଆଜି ସଂସଦରେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ହୁଇପ ଜାରି କରିଛି କଂଗ୍ରେସ । ମୋଟ ଲୋକସଭା ସିଟ୍ ସଂଖ୍ୟା ୫୪୩ । ୫ ସିଟ୍ ଖାଲି ପଡ଼ିଥିବା ବେଳେ ମ୍ୟାଜିକ ନମ୍ବର ୨୬୯ । ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ରହିଛି ୩୨୯ ସିଟ୍ । କେବଳ ବିଜେପି ପାଖରେ ୩୦୧ ଆସନ ରହିଛି । ବିରୋଧୀ ମେଣ୍ଟ ପାଖରେ ମାତ୍ର ୧୪୨ ସିଟ୍ ରହିଛି ।