ଡେଲଟାକୁ ପଛରେ ପକାଇଲା ଓମିକ୍ରନ, ରାଜ୍ୟରେ ୯୮ ପ୍ରତିଶତ ନମୁନାରେ ଓମିକ୍ରନ

ଭୁବନେଶ୍ୱର: ରାଜ୍ୟରେ ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ । ଡେଲଟା ଭୂତାଣୁଠୁ ବହୁ ଆଗରେ ରହିଛି ଓମିକ୍ରନ । ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସର ଜିନୋମ ସିକ୍ୱେନସିଂରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ପାଖାପାଖି ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଜାନୁଆରୀ ୨୮ ତାରିଖରୁ ଫେବ୍ରୁଆରୀ ୪ ତାରିଖ ମଧ୍ୟରେ ୨୪୧ଟି ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା । ସେଥିରେ ୨୩୫ ନମୁନାରେ ଓମିକ୍ରନ ଭୂତାଣୁ ରହିଥିବା ସ୍ପଷ୍ଟ ହୋଇଛି । ମାତ୍ର ୬ଟିରେ ଡେଲଟା ଭୂତାଣୁ ଚିହ୍ନଟ ହୋଇଛି । ଯେଉଁ ୨୩୫ ନମୁନାରେ ଓମିକ୍ରନ ଚିହ୍ନଟ ହୋଇଛି, ସେଥିରେ ୨୧୭ଟିରେ ବିଏ. ଟୁ ସବ୍ ଭ୍ୟାରିଆଂଟ ରହିଥିବା ବେଳେ ବିଏ. ଓ୍ବାନ. ଓ୍ବାନ ୧୨ଟି ଚିହ୍ନଟ ହୋଇଛି ।  ମାତ୍ର ୬ଟି ନମୁନାରେ ବିଏ. ଓ୍ବାନ ରହିଛି । ଖୋର୍ଦ୍ଧାରେ ୪ ଟି ନମୁନାରେ ଡେଲଟା ଭୂତାଣୁ ଥିବା ବେଳେ ୪୫ ନମୁନାରେ ଓମିକ୍ରନ ରହିଥିବା ଜଣାପଡିଛି । ଗଂଜାମରୁ ସଂଗ୍ରହ କରାଯାଇଥିବା ୪୭ଟି ନମୁନାରେ ରହିଛି ଓମିକ୍ରନ । ସେହିପରି କଟକରୁ ଆସିଥିବା ସମସ୍ତ ୩୦ଟି ନମୁନାରେ ଓମିକ୍ରନ ଚିହ୍ନଟ ହୋଇଛି ।

Leave a Reply