ଆଳୁ-ଲେମ୍ବୁ ପରେ ଉତୁରିଲା କ୍ଷୀର, ରାଜ୍ୟରେ ବଢ଼ିଲା ଓମଫେଡ କ୍ଷୀର ଦାମ୍‌

ଭୁବନେଶ୍ୱର: ଆଳୁ ପରେ ଉତୁରିଲା କ୍ଷୀର। ରାଜ୍ୟରେ ବଢ଼ିଲା ଓମଫେଡ କ୍ଷୀର ଦାମ୍‌। ଦୁଗ୍ଧ ହିତକୁ ଦୃଷ୍ଟିରେ ରଖି ଲିଟର ପିଛା ୨ଟଙ୍କା ବଢିଛି । ଏହାଦ୍ବାରା ଦୁଗ୍ଧଜାତ ସାମଗ୍ରୀର ଦରବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି । ଦୀର୍ଘ ଦୁଇବର୍ଷ ପରେ ଓମଫେଡ କ୍ଷୀରର ମୂଲ୍ୟ ବୃଦ୍ଧିକୁ ନେଇ ଚାଷୀ ଖୁସି ବ୍ୟକ୍ତ କରିଥିବାବେଳେ ନେଇ ସାଧାରଣରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା ।

ବଢିଲା ଓମ୍‌ଫେଡ କ୍ଷୀରର ମୂଲ୍ୟ । ଦୁଇ ବର୍ଷରେ ଲିଟର ପିଛା ୨ଟଙ୍କା ବୃଦ୍ଧି । ପ୍ରଭାବିତ ହେବନି ଚାହା କପର ମୂଲ୍ୟ । ବଜାରକୁ ଆସିଲା ନୂଆ ବ୍ରାଣ୍ଡ । ଦୁଇବର୍ଷ ପରେ ବର୍ଦ୍ଧିତ ଦରରେ ବଜାରକୁ ଆସିଲା ଓମଫେଡ କ୍ଷୀର । ଲିଟର ପିଛା ୪୬ ଟଙ୍କାରୁ ୪୮ଟଙ୍କାକୁ ବୃଦ୍ଧି ପାଇଛି ମୂଲ୍ୟ । ବର୍ଦ୍ଧିତ ୨ଟଙ୍କା ମଧ୍ୟରୁ ଦୁଗ୍ଧଚାଷୀଙ୍କୁ ସିଧାସଳଖ ୧ ଟଙ୍କା ୩୫ ପଇସା ମିଳିବ । ପରିବହନ ଓ ପ୍ୟାକେଜିଂ ସହିତ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କ୍ଷୀରର ମୂଲ୍ୟ ବୃଦ୍ଧି ଫଳରେ ଯେଭଳି ଚାହା କପର ମୂଲ୍ୟ ବୃଦ୍ଧି ନହୁଏ ସେଥିପାଇଁ ଓମ୍ଫେଡ ପକ୍ଷରୁ ଚାଏ ସ୍ପେଶାଲ କ୍ଷୀର ବଜାରକୁ ଆସିଛି । ଯାହା ପୁରୁଣା ମୂଲ୍ୟରେ ଅର୍ଥାତ୍ ଲିଟର ପିଛା ୪୬ ଟଙ୍କାରେ ଉପଲବ୍ଧ ହେବ ।

ବର୍ତ୍ତମାନ କେବଳ କଟକ, ପୁରୀ ଓ ଭୁବନେଶ୍ବରରେ ଏହା ଉପଲବ୍ଧ ହେଉଥିବା ବେଳେ ଖୁବଶୀଘ୍ର ରାଜ୍ୟବ୍ୟାପୀ ମିଳିବ । ଦୀର୍ଘଦିନ ଧରି କ୍ଷୀରର ମୂଲ୍ୟ ବୃଦ୍ଧି ପାଇନଥିବା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଦରଦାମ ବୃଦ୍ଧି ସାଙ୍ଗକୁ ଗୋଖାଦ୍ୟର ଦର ଦୁଗ୍ଧଚାଷୀଙ୍କ ପାଇଁ ଚିନ୍ତାର ବିଷୟ ଥିଲା । ତେବେ ବିଳମ୍ବରେ ହେଲେ ମଧ୍ୟ ୨ ଟଙ୍କା ବୃଦ୍ଧି ପାଇଥିବାରୁ ଦୁଗ୍ଧ ଚାଷୀ ଖୁସି ବ୍ୟକ୍ତ କରିଛନ୍ତି ।

ସେପଟେ କ୍ଷୀର ଦର ବୃଦ୍ଧି ହେବାପରେ ଚାହା କପର ମୂଲ୍ୟ ୧ ଟଙ୍କା ବୃଦ୍ଧି କରିଛନ୍ତି ଦୋକାନୀ । ପେଟ୍ରୋଲ ଓ ଡିଜେଲ ସହିତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ କ୍ଷୀରର ମୂଲ୍ୟ ବୃଦ୍ଧିକୁ ସାଧାରଣଲୋକେ ମଧ୍ୟ ଗ୍ରହଣ କରି ନେଇଛନ୍ତି । ତେବେ ଓମଫେଡ ବଜାରକୁ ଛାଡିଥିବା ଚାଏ ସ୍ପେଶାଲ କ୍ଷୀରକୁ ଗ୍ରାହକ କେତେ ଗ୍ରହଣ କରୁଛନ୍ତି ଏହାର ସ୍ବାଦ ଓ ମାନ କଣ ତାହା ଉପରେ ଚାହାର ମୂଲ୍ୟ ନିର୍ଭର କରୁଛି ବୋଲି କହିଛନ୍ତି ଦୋକାନୀ । ଓମଫେଡ କ୍ଷୀର ମୂଲ୍ୟ ଯଦିଓ ବୃଦ୍ଧି ପାଇଛି ତେବେ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦହି, ଚହ୍ଲା ଓ ଛେନାପୋଡ ଭଳି ଦୁଗ୍ଧଜାତ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇନାହିଁ ।