ଆରପାରିରେ ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସ

କଟକ: ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଥିବା ସୂଚନା ମିଳିଛି । ସେ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ଜଣାଶୁଣା ଚେହେରା । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ। ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ। ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ଝରଣା। ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ ।

ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ।

ମଲାଜହ୍ନ, ଅମଡ଼ା ବାଟ ଓ ଅଭିନେତ୍ରୀ ଆଦି କଥାଚିତ୍ରରେ ଅଭିନୟ କରି ସେ ବେଶ ଖ୍ୟାତି ଅର୍ଜନ କରିଥିଲେ ।୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିପାରିଥିଲେ।

ସେ ଚଳଚ୍ଚିତ୍ର ବ୍ୟତୀତ, ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ଆ’ ଜହ୍ନରେ ଲେଖିବା ନାଁ, ଭାଗ୍ୟ ଚକ୍ର, ସୁନା ଭାଉଜ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଲାଲ ପାନ ବିବି, କସ୍ତୁରୀ, ସମୟ ବଡ଼ ବଳବାନ, ପୂଜାଫୁଲ, ହୀରାନୀଳା, ନିନାଦ, ଆଶାର ଆକାଶ, ମହାସତୀ ସାବିତ୍ରୀ, ଜ୍ୱାଇଁ ପୁଅ, ହିସାବ ନିକାଶ, ଟିକେ ହସ ଟିକେ ଲୁହ, ଶ୍ରୀ ଜଗନ୍ନାଥ, ଅଦିନ ମେଘ, ମାର୍ଗ, କା, ମଲାଜହ୍ନ, ଅଭିନେତ୍ରୀ, ନବଜନ୍ମ, ଅମଡ଼ା ବାଟ, ନାରୀ ଇତ୍ୟାଦି । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଜୟଦେବ ପୁରସ୍କାର,ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼, ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ ଆଦି ଲାଭ କରିଥିଲେ ।