ଏଣିକି ରାଜ୍ୟରେ ହେବ ଶିଶୁଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ବର: ଶିଶୁମାନଙ୍କ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଆଜି ବେଙ୍ଗଳୁରୁ ଆସ୍ତର ସିଏମଆଇ ହସପିଟାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷର ହେଲା ବୁଝାମଣାପତ୍ର । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ, ଆସ୍ତର ସିଏମଆଇ ହସପିଟାଲ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ନିତିଶ ସେଟ୍ଟୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମଇଟି ଡାକ୍ତର ଉମାରମଣ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି । ଏହି ସୁବିଧା ପ୍ରଥମ ଥର ପାଇଁ ଏସସିବି ମେଡିକାଲରେ ଉପଲବ୍ଧ ହେବ । ଏଠାରେ ଆସ୍ତର ହସ୍ପିଟାଲ ଡାକ୍ତରମାନେ ଯକୃତ ରୋଗରେ ପୀଡିତ ଶିଶୁମାନଙ୍କ ପରୀକ୍ଷା କରିବା ପରେ ଅସ୍ତ୍ରୋପଚାରର ଅବଶ୍ୟକତା ପଡ଼ିଲେ ସେମାନଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇଦେବେ ।

ଏହାସହ ଆସ୍ତର ପକ୍ଷରୁ ଡାକ୍ତର, ନର୍ସ, ପାରାମେଡିକ୍ସମାନଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟ ସମ୍ପର୍କିତ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯିବ । ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବାଦ୍ବାରା ରାଜ୍ୟରେ ସୁପରସ୍ପେସିଆଲିଟି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏହାଦ୍ବାରା ପ୍ରକୃତ ରୋଗୀ ବିନାମୂଲ୍ୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବ । ଏଥିପାଇଁ ଆଉ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ସରକାରଙ୍କ ଯୋଜନା ଅନୁଯାୟୀ ଆଗାମୀ ଦିନରେ ବୟସ୍କମାନଙ୍କୁ ମଧ୍ୟ ଲିଭର ଟ୍ରାନ୍ସପ୍ଲାଣ୍ଟ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ଅତିରିକ୍ତ ଡିଏମଇଟି ଡାକ୍ତର ଉମାକାନ୍ତ ଶତପଥୀ, ଆସ୍ତର ସିଇଓ ରମେଶ କୁମାର ଏସ୍, ଡାକ୍ତର ସୋନାଲ ଆସ୍ଥାନା ପ୍ରମୁଖ ଉପସ୍ଥିତ ଥିଲେ ।