ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ହେବ ସ୍ଥାୟୀ ଭିତ୍ତିଭୂମି: ୧୫ହଜାର ୫୦କୋଟି ଟଙ୍କାର ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର: ପ୍ରତିବର୍ଷ ଓଡ଼ିଶା ସାମ୍ନା କରୁଥିବା ବାତ୍ୟାର ସ୍ଥାୟୀ ପ୍ରତିକାର ଦରକାର । ୟାସ୍ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ସହ ବାତ୍ୟା ପ୍ରତିରୋଧର ସ୍ଥାୟୀ ବ୍ୟବସ୍ଥା ପାଇଁ କେନ୍ଦ୍ର ପାଖରେ ଦାବି କରିଛି ଓଡ଼ିଶା । ୟାସ୍ ଯୋଗୁଁ ୮୨୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ଏହା ଭରଣା କରିବେ । ତେବେ ସ୍ଥାୟୀ ପ୍ରତିକାର ପାଇଁ ବିଦ୍ୟୁତ ଭିତ୍ତିଭୂମି ଓ ଲୁଣାବନ୍ଧର ସୁଦୃଢ଼ୀକରଣ ଲାଗି ୧୫ହଜାର ୫୦କୋଟି ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀଙ୍କ ୟାସ ବାତ୍ୟା ଅନୁଧ୍ୟାନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଗୁଁ କୌଣସି ସହାୟତା ନମାଗି ସ୍ଥାୟୀ ପ୍ରତିକାର କଥା ଉଠାଇଥିଲେ ।

ଉପକୂଳରେ ହିଁ ବାତ୍ୟାକୁ ଦିଆଯିବ ଚେକ୍ । ଦୀର୍ଘମିଆଦି ଯୋଜନା ଉପରେ ଗୁରୁତ୍ବ । ସ୍ଥାୟୀ ଭିତ୍ତିଭୂମି ପାଇଁ କେନ୍ଦ୍ରକୁ ସହାୟତା ମାଗିଲା ରାଜ୍ୟ ।… ପ୍ରାୟ ପ୍ରତିବର୍ଷ ସାମୁଦ୍ରିକ ଝଡ଼ର ସାମ୍ନା କରୁଛି ଓଡ଼ିଶା । ୧୯୯୯ ମହାବାତ୍ୟା ପରଠାରୁ ଫାଇଲିନ୍, ହୁଡ୍‌ହୁଡ୍‌, ଅମ୍ପାନ୍, ଫନି ସାଙ୍ଗକୁ ଏଥର ୟାସ୍ । ବିପର୍ଯୟ ପରିଚାଳନାରେ ସରକାରଙ୍କ ମିଶନ୍ ଜିରୋ କାଜୁଆଲିଟି ମୋଡ୍ ମୃତାହତ ସଂଖ୍ୟା ନିୟନ୍ତ୍ରଣ କରିଛି । ମାତ୍ର ବାତ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହେଉଛି । ଏଣୁ ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ଦୀର୍ଘମିଆଦି ଯୋଜନାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ୟାସ କ୍ଷୟକ୍ଷତି ନେଇ କେନ୍ଦ୍ରକୁ ଦିଆଯାଇଥିବା ଚୂଡ଼ାନ୍ତ ରିପୋର୍ଟରେ ବିଦ୍ୟୁତ ଭିତ୍ତିଭୂମି ସାଙ୍ଗକୁ ଲୁଣାବନ୍ଧର ସୁଦୃଢୀକରଣ ପାଇଁ ଦାବି ଓଡ଼ିଶା କରିଛି । ୟାସ ଯୋଗୁଁ ୮୨୩କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଯାହାକୁ ଭରଣା କରିବେ ରାଜ୍ୟ ସରକାର । ହେଲେ ସ୍ଥାୟୀ ପ୍ରତିକାର ପାଇଁ ୧୫ହଜାର ୫୦କୋଟି ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ ସରକାର ।

କରୋନା ବିପଦ ବେଳେ କେନ୍ଦ୍ର ଉପରେ ବୋଝ ହେବୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କହିଥିଲେ । ସେହି ଅନୁସାରେ ଚୂଡ଼ାନ୍ତ ରିପୋର୍ଟରେ ରିଲିଫ୍ ଏବଂ ପୁନରୁଦ୍ଧାର ପାଇଁ ଟଙ୍କାଟିଏ ମଗାଯାଇନାହିଁ । ତେବେ ଉପକୂଳ ଓଡ଼ିଶାର ୪ ଜିଲ୍ଲା ବାଲେଶ୍ବର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ପାଇଁ ୧୨ହଜାର ୪୮କୋଟି ଟଙ୍କା ଆବଶ୍ୟକ । ଅଣ୍ଡରଗ୍ରାଉଣ୍ଡ କେବଲିଂ ସହ ବିଦ୍ୟୁତକରଣରେ ଅତ୍ୟାଧୁନିକ ଡିଜାଇନ୍ ଓ ଉପକରଣ ପାଇଁ ଏହା ଦରକାର । ସମୁଦ୍ର କୂଳ ଲୁଣାବନ୍ଧର ସୁଦୃଢୀକରଣ ପାଇଁ ରାଜ୍ୟ ୩ହଜାର ୨ଶହ କୋଟି ଟଙ୍କା ମାଗିଛି । ବିପର୍ଯ୍ୟୟ ବେଳେ ୭କିଲୋମିଟର ପର୍ଯ୍ୟନ୍ତ ଜୁଆାର ଆସିବାର ଆକଳନ କରାଯାଉଛି । ୪୮୦ କିଲୋମିଟର ବେଳାଭୂମିରୁ ପ୍ରାୟ ୪୫୦କିଲୋମିଟର ଲୁଣାବନ୍ଧ ସମ୍ବେଦନ ରହିଛି । ଗତ ମେ ୨୬ ତାରିଖରେ ସାମୁଦ୍ରିକ ଝଡ଼ ୟାସ ପ୍ରଭାବରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ୪ ଜିଲ୍ଲାରେ ସ୍ଥାୟୀ ପ୍ରତିକାର ପାଇଁ କେନ୍ଦ୍ରକୁ ରାଜ୍ୟ ସହାୟତା ମାଗିଛି । ଉପକୂଳବର୍ତ୍ତୀ ୧୪ ଜିଲ୍ଲାରେ ସ୍ଥାୟୀ ବ୍ୟବସ୍ଥା ପାଇଁ ପ୍ରାୟ ୫୦ହଜାର କୋଟି ଟଙ୍କାର ଆବଶ୍ୟକ।

Leave a Reply