ନ୍ୟାୟ ଦେବାରେ ଓଡ଼ିଶା ବେଷ୍ଟ, ନାହିଁ ପୋଲିସର ଫେକ୍ ଏନକାଉଣ୍ଟର୍

1 min read

ଭୁବନେଶ୍ୱର: ଜଷ୍ଟିସ ଡେଲିଭରିରେ ଓଡି଼ଶା ବେଷ୍ଟ । ମିଳୁଛି ନ୍ୟାୟ, ନାହିଁ ପୋଲିସର ଫେକ ଏନକାଉଣ୍ଟର୍ । ଥାନାକୁ ଗଲେ ପୋଲିସ ଦେଖାଉଛି ଭଲ ବ୍ୟବହାର । ସର୍ବଭାରତୀୟ ସର୍ଭେ ସଂସ୍ଥା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ନ୍ୟାୟ ପ୍ରଦାନ ଓ ପୋଲିସିଂରେ ଯଥେଷ୍ଟ ଉନ୍ନତି ଆସିଛି । ୨୦୨୨ରେ ଓଡ଼ିଶା ସ୍ଥାନ ୧୦ରେ ରହିଛି । ଯାହାକି ଗ୍ରୀନ୍ ଜୋନରେ ଦର୍ଶାଉଛି । ୨୦୨୦ରେ ଓଡ଼ିଶା ନ୍ୟାୟ ପ୍ରଦାନରେ ୧୧ତମ ସ୍ଥାନରେ ଥିଲା । ଯେବେଠୁ 5T ଓ ମୋ ସରକାର ବ୍ୟବସ୍ଥା ସକ୍ରିୟ ହୋଇଛି ସେବେଠାରୁ ନ୍ୟାୟ ପ୍ରଦାନ ଆହୁରି ତ୍ବରାନ୍ବିତ ହୋଇଛି । ଉତ୍ତରପ୍ରଦେଶ ୧୮ ତମ ସ୍ଥାନରେ ରହି ସବୁଠୁ ତଳେ ରହିଛି । ତା ଉପରକୁ ରହିଛି ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ । ବିଶେଷକରି ବିଜେପି ଶାସିତ ରାଜ୍ୟଗୁଡ଼ିକ ଓଡ଼ିଶାଠାରୁ ପଛରେ ରହିଛନ୍ତି । ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ନ୍ୟାୟାଧୀଶଙ୍କ ଭୂମିକା ଅତୁଳନୀୟ । ତଥାପି କୋର୍ଟର ଭିତ୍ତିଭୂମି ଓ ସ୍ବଚ୍ଛ ପୋଲିସ ବ୍ୟବସ୍ଥା ଯୋଗୁ ନ୍ୟାୟ ପ୍ରଦାନ ପାଇଁ ସହାୟକ ହୋଇଥାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବିଧାନିକ ସଂସ୍ଥାର ଗରିମା ଓ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଭିତ୍ତିଭୂମି ସୁଦୃଢ଼ କରିଛନ୍ତି । ଇ-ଗଭର୍ଣ୍ଣାନ୍ସ ଓଡ଼ିଶା ହାଇକୋର୍ଟ ସର୍ବଶ୍ରେଷ୍ଠ କୋର୍ଟ ଭାବେ ସୁପ୍ରିମକୋର୍ଟଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି ।

ପୋଲିସ ଓ ମାନବସମ୍ବଳ ପରିଚାଳନାରେ ଓଡ଼ିଶା ୪ ନମ୍ବର ରାଙ୍କରେ ରହିଛି । ସବୁଠୁ ଶ୍ରେଷ୍ଠ ପୋଲିସ ଷ୍ଟେସନ୍ ବୋଲି ଆସିକା ଥାନା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ବାରା ପୁରସ୍କୃତ ହୋଇଛି । ୨୦୨୪ ସୁଦ୍ଧା ସବୁ ବ୍ଲକରେ ହେବ ଇ-କୋର୍ଟ୍ । ୪ଟି ପାରାମିଟର ଯଥା ପୋଲିସ, ପ୍ରିଜନ୍ସ୍, ଜୁଡିସିଆରୀ ଓ ଲିଗାଲ୍ ଏଡ୍ ଆଧାରରେ ସବୁ ରାଜ୍ୟ ପାଇଁ ଏହି ରିପୋର୍ଟ ପ୍ରସ୍ତୁତ ହୁଏ । ୧୦୦ଟି ଇଣ୍ଡିକେଟର ସହିତ ପ୍ରତ୍ୟେକ ରାଜ୍ୟରେ ବାସ୍ତବ ସ୍ଥିତି ଯାଞ୍ଚ କରି କ୍ୟୁରେଟର ସର୍ଭେ କରିଥାନ୍ତି । ଏଥିରେ କୌଣସି ତ୍ରୁଟି ନ ଥାଏ ବୋଲି ସ୍ପଷ୍ଟ କରିଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ।

ତହସିଲଠାରୁ ଓ କୋର୍ଟ ସବୁ କାର୍ଯ୍ୟ ଯେପରି ଅନଲାଇନ୍ ହେବ ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଭିତ୍ତିଭୂମି । ସବୁ ପଞ୍ଚାୟତ ହେବ ସ୍ମାର୍ଟ୍ । ଆଗାମୀ ଦିନରେ ନ୍ୟାୟ ପ୍ରଦାନରେ ଏକ ନମ୍ବର ରାଜ୍ୟ ହେବାକୁ ସରକାର ପ୍ରସ୍ତୁତ କରୁଛନ୍ତି ରୋଡ୍ ମ୍ୟାପ୍ ।