ଓଡ଼ିଶା ଦ୍ରୁତ ପରିବର୍ତ୍ତନଶୀଳ ରାଜ୍ୟ: ନିତି ଆୟୋଗ

1 min read

ଭୁବନେଶ୍ୱର: ୨୦୨୧-୨୨ ନିମନ୍ତେ ନିରନ୍ତର ବିକାଶ ଲକ୍ଷ୍ୟ ମାନକ-୪.୦ ବିଷୟରେ ଆଜି ଓଡ଼ିଶା ସରକାର ଏବଂ ନିତି ଆୟୋଗଙ୍କ ମଧ୍ୟରେ ଏକ ଦିନିକିଆ ମିଳିତ କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଖାରବେଳ ଭବନ ସଭାଗୃହଠାରେ ଅନୁଷ୍ଠିତ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଯେ ଲୋକମାନଙ୍କ ଜୀବନଧାରଣ ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ । ଏଥିପାଇଁ ରାଜ୍ୟ ମଧ୍ୟ କେତେକ ସ୍ୱତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା, କେନ୍ଦ୍ର ରାଜ୍ୟ ମିଳିତ ଯୋଜନା ଓ ରାଜ୍ୟର ନିଜସ୍ୱ ପାଣ୍ଠିରୁ ସ୍ୱତନ୍ତ୍ର ଯୋଜନା ସବୁକୁ ୨୦୩୦ କାର୍ଯ୍ୟସୂଚୀ ଏବଂ ଏସଡିଜି ଅଭିମୁଖୀ କରାଯାଇଛି । ଏଣୁ ଏସ୍‌ଡିଜି ରାକିଂ କଲାବେଳେ ଏ ସମସ୍ତ ଯୋଜନାରୁ ଉପଲବ୍ଧ ଫଳାଫଳଗୁଡ଼ିକୁ ବିଚାର କରାଯିବା ଆବଶ୍ୟକ । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ୨୦୩୦ ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟ କଥା । ତେଣୁ କେବଳ ନିର୍ଦ୍ଦିଷ୍ଟ କେତୋଟି କେନ୍ଦ୍ରୀୟ ଯୋଜନାର ଫଳାଫଳକୁ ବିଚାର ନକରି ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର କ୍ଷେତ୍ରସ୍ତରୀୟ ସାମଗ୍ରିକ ଫଳକୁ ବିଚାର କରିବା ଦରକାର । ତାହାହେଲେ ଏସଡିଜି ରାକିଂ ବାସ୍ତବତା ଭିତ୍ତିକ ହେବ ।

କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ, ଏସଡିଜି ହାସଲରେ ଓଡ଼ିଶାର ରାକିଂ ୨୦୧୮ ମସିହାରେ ୫୮ରୁ ବୃଦ୍ଧି ପାଇ ୨୦୨୧ ମସିହାରେ ୬୧ରେ ପହଞ୍ଚିଛି । ରାଜ୍ୟରେ ସେବା ଯୋଗାଣ ବ୍ୟବସ୍ଥାର କ୍ରମାଗତ ଉନ୍ନତି ଏବଂ ଅନ୍ତର୍ଭୁକ୍ତିକରଣ ବିକାଶଧାରା ନିମନ୍ତେ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମ କରାଯାଉଛି ।

            ନିତି ଆୟୋଗ ଉପଦେଷ୍ଟା ସଂଯୁକ୍ତା ସମାଦ୍ଦାର, ଏସ୍‌ଡିଜି ଅଧିକାରୀ ସୌମ୍ୟ ଗୁହା ଏସ୍‌ଡିଜି-୪୦ ନିମନ୍ତେ ପ୍ରସ୍ତାବତ ମାନକ ବିଷୟରେ ଆଲୋଚନା କରିଥିଲେ  । ସମାଦ୍ଦାର କହିଥିଲେ ଯେ ଓଡ଼ିଶା ଏକ ଦୃତ ପରିବର୍ତ୍ତନଶୀଳ ରାଜ୍ୟ । ଏଠାରେ ଅନେକ ପ୍ରକ୍ରିୟାଗତ ସଂସ୍କାର ଏବଂ ଅଭିନବ କୌଶଳର ପ୍ରୟୋଗ କରାଯାଇଛି । ଏକ ପୂର୍ଣ୍ଣାଙ୍ଗ ଏସ୍‌ଡିଜି ଢାଞ୍ଚା ପ୍ରସ୍ତୁତିରେ ସର୍ବଦା ଓଡ଼ିଶାରୁ ସଠିକ୍ ପରାମର୍ଶ ମିଳିଛି । ମାର୍ଚ୍ଚ ଶେଷ ସୁଦ୍ଧା ଏସଡିଜି ୪.୦ମାନଙ୍କ ଚୁଡ଼ାନ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବିଜେଡି ନେତାଙ୍କ ବିଜେପି ପ୍ରୀତି ଅଭିଯୋଗ: ପ୍ରବଳ ବିରୋଧର ସମ୍ମୁଖୀନ ହେଲେ ପୂର୍ବତନ ବିଧାୟକ ରଘୁନାଥ

Leave a Reply