ଶକ୍ତି ସଂସ୍କାରରେ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା, ଦୂର ହେବ ଲୋ-ଭୋଲଟେଜ୍ ସମସ୍ୟା

1 min read

ଭୁବନେଶ୍ବର: ଶକ୍ତି ସଂସ୍କାରରେ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା । ନା ରହିବ ଲୋ-ଭୋଲଟେଜ ସମସ୍ୟା, ନା ହେବ ଟ୍ରାନସମିସନରେ ଅସୁବିଧା । ଆଗାମି ବର୍ଷେ ଭିତରେ ଏହି ସବୁ ସମସ୍ୟା ସମାଧାନ ଦିଗରେ କାମ ଆରମ୍ଭ କରିଛି ଶକ୍ତି ବିଭାଗ । ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଅକ୍ଷୟ ଶକ୍ତି ଉତ୍ପାଦନକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଚିଫ୍ ମିନିଷ୍ଟର ପାଓ୍ବାର ଡେଭଲପମେଣ୍ଟ ପ୍ରୋଗ୍ରାମ ଓ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଜରିଆରେ ଶକ୍ତି କ୍ଷେତ୍ରରେ ଆସିବାକୁ ଯାଉଛି ବଡ଼ ସଂସ୍କାର ।

ଦୂର ହେବ ଲୋ-ଭୋଲଟେଜ୍ ସମସ୍ୟା । ଆଗାମୀ ଏକ ବର୍ଷ ଭିତରେ ଲୋଡ ସେଡିଂ ଦୂର କରିବା ସହ ଲୋ-ଭୋଲଟେଜ୍ ସମସ୍ୟାରୁ ମିଳିବ ମୁକ୍ତି । ଘନ ଘନ ବିଦ୍ୟୁତ୍ କାଟ ବି ବନ୍ଦ ହେବ । ଏଥିପାଇଁ ଗ୍ରୀଡ଼ ଷ୍ଟେସନ ଅହେତୁକ ଭାବେ ବୃଦ୍ଧି କରାଯାଉଛି । ଟ୍ରାନସମିସନ ଓ ବିତରଣକୁ ଫୋକସ ଦିଆଯାଇ ନୂଆ ପ୍ରାଇମେରି ସବ-ଷ୍ଟେସନ ସ୍ଥାପନ କରାଯାଉଛି । ଟ୍ରାନସଫର୍ମର ସଂଖ୍ୟାରେ ବୃଦ୍ଧି ଅଣାଯାଉଛି । ଶକ୍ତି ଭିତ୍ତିଭୂମି ପାଇଁ ବାତ୍ୟା ଓ ଜଙ୍ଗଲ ଅନୁମତି ମଞ୍ଜୁରୀ ବାଧା ସାଜୁଛି । ଏହା ଉପରେ ଅଙ୍କୁଶ ଆଣିବାକୁ ଭୁତଳ କେବଲିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି ।

ଯାହା ଫଳରେ ବାତ୍ୟା ସମୟରେ ତୁରନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିବ । ଲୋ-ଭୋଲଟଜ ସମସ୍ୟା ବହୁ ମାତ୍ରାରେ ନିୟନ୍ତ୍ରଣକୁ ଅଣାଯାଇଛି । କାଁ ଭାଁ ସ୍ଥାନ ଯେଉଁଠି ଲୋ-ଭୋଲଟେଜ ସମସ୍ୟା ରହିଛି, ସେଠାରେ ନୂଆ ଗ୍ରୀଡ଼ ଷ୍ଟେସନ ବସାଉଛି ଶକ୍ତି ବିଭାଗ । ସେହିପରି ପରିବେଶକୁ ଧ୍ୟାନ ଦେଇ ବି କାମ କରାଯାଉଛି । ଝାରସୁଗୁଡ଼ା ଓ ତାଳଚେର ପରି ସହର ପ୍ରଦୂଷଣରେ ଧନ୍ଦି ହୋଇ ପଡ଼ିଲାଣି । ରାଜଧାନୀ ଭୁବନେଶ୍ବର ବି ଦିଲ୍ଲୀ ପରି ବିଷବଳୟ ଆଡ଼କୁ ଗତି କରୁଛି । ଯେଉଁଥି ପାଇଁ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତିରୁ ୧୦ ହଜାର ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟ ସରକାରଙ୍କ ଶକ୍ତି ସଂସ୍କାର କାର୍ଯ୍ୟକ୍ରମକୁ ରାଜ୍ୟ ଉପଭୋକ୍ତା ମହାସଂଘ ବି ପ୍ରଶଂସା କରିଛି । ହେଲେ କାମରେ ଢିଲା କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି ହୋଇଛି । ଅନେକ ସମୟରେ ଢିଲା କାମ ଯୋଗୁ ରାଜ୍ୟ ସରକାର ବିତରଣ କଂପାନୀ ଗୁଡ଼ିକୁ ତାଗିଦ୍ ବି କରିଛନ୍ତି ।  ୨୦୦୦ ମସିହାରେ ମାତ୍ର 18% ଘରେ ବିଦ୍ୟୁତ ସଂଯୋଗ ଥିଲା । ଯାହା ଏବେ 99% ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ଶକ୍ତି ସଂସ୍କାରରେ ଏହା ବଡ଼ ଉଦାହରଣ ସାଜିଛି ।