ଏଣିକି ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବ ରେଳ ଯାତ୍ରା, ଏକ୍ସପ୍ରେସ୍ ଟ୍ରେନରେ ରହିବନି ଜେନେରାଲ୍ ବଗି

1 min read

ଭୁବନେଶ୍ବର: ଏଣିକି ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବ ରେଳ ଯାତ୍ରା । ଟ୍ରେନରେ ଜେନେରାଲ କମ୍ପାର୍ଟମେଣ୍ଟ୍ ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଚଳିତବର୍ଷଠାରୁ ଆସନ୍ତା ୨ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍ରେ ଏହି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି । ସେପଟେ ପ୍ଲାଟ୍ଫର୍ମ ଟିକେଟ୍ ଓ ଖାଦ୍ୟ ଦର ବୃଦ୍ଧି ରେଳ ଯାତ୍ରାକୁ ଆହୁରି ମହଙ୍ଗା କରିପକାଇଛି ।

ଏକ୍ସପ୍ରେସ୍ ଟ୍ରେନରେ ରହିବନି ଜେନେରାଲ୍ ବଗି । କେବଳ ରହିବ ଏସି କୋଚ । ମହଙ୍ଗା ହେବ ରେଳ ଯାତ୍ରା । ଯାତ୍ରୀ ଗଣିବେ ଏସି କୋଚ୍ ଫେୟାର୍ । ଯାତ୍ରୀଙ୍କ ଭିଡ କମାଇବା, ପରିଷ୍କାର ପରିଚ୍ଛନ୍ନତା ଓ ଟ୍ରେନ୍ ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଏପରି ଯୋଜନା କରାଯାଉଛି । ଏଥିପାଇଁ ଏକ୍ସପ୍ରେସ୍ ଟ୍ରେନ୍ରେ ଜେନେରାଲ କମ୍ପାର୍ଟମେଣ୍ଟ୍ ଓ ସ୍ଲିପର୍ କୋଚ୍ ଉଠାଇଦେବାକୁ ୨୦୨୦ରେ ରେଳବାଇ ବୋର୍ଡ ସରକାରଙ୍କୁ ସୁପାରିସ କରିଥିଲା ।

ଏବେ ଧୀରେ ଧୀରେ ବୋର୍ଡ ସୁପାରିସ କ୍ରମେ ଜେନେରାଲ୍ କମ୍ପାର୍ଟମେଣ୍ଟ୍ କୋଚ୍ ସଂଖ୍ୟା କମାଇଚାଲିଛି ରେଳ ବିଭାଗ । ରେଳ ବିଭାଗ ସୁତ୍ରରୁ ଜଣାପଡ଼ିଛି ଜେନେରାଲ୍ କମ୍ପାର୍ଟମେଣ୍ଟ୍ ଉତ୍ପାଦନ ହ୍ରାସ କରିବାକୁ ରେଳ କୋଚ୍ ଫ୍ୟାକ୍ଟ୍ରିକୁ ଆସିଛି ନିର୍ଦ୍ଦେଶ । ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଆର୍ସିଏଫ୍ ୧୧୪୨ଟି ଜେନେରାଲ୍ କମ୍ପାର୍ଟ୍ମେଣ୍ଟ୍ ଓ ସ୍ଲିପର୍ କୋଚ୍ ଓ ୩ ହଜାର ୪୪ଟି ଏସି କୋଚ୍ ନିର୍ମାଣ କରିବ । ପୂର୍ବରୁ ଧନୀ ଲୋକଙ୍କ ପାଇଁ ଏସି କୋଚ୍ ଲାଗୁଥିଲା । ଏବେ ରେଳ ପରିଚାଳନା ଦାୟିତ୍ବ କର୍ପୋରେଟ୍ ସଂସ୍ଥାକୁ ମିଳିବା ପରେ ଧୀରେ ଧୀରେ ରେଳ ସୁବିଧା ସାଧାରଣ ଲୋକଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଲାଣି ।

ଭାରତୀୟ ରେଳ ଲୋକଙ୍କ ଲାଇଫ୍ ଲାଇନ୍ । ଗରିବ ଲୋକଟିଏ ଦୂର ସ୍ଥାନକୁ ଅଳ୍ପ ଖର୍ଚ୍ଚରେ ଯାଇପାରୁଥିଲା । ଏବେ କିନ୍ତୁ ତାହା ଆଉ ସମ୍ଭବ ହେବନାହିଁ । ପ୍ଲାଟ୍ଫର୍ମ ଟିକେଟ୍କୁ ୧୦ ଟଙ୍କାରୁ ୫୦ ଟଙ୍କା ବୃଦ୍ଧି କରାଗଲା । ଏହାପରେ ଟ୍ରେନ୍ରେ ପୂର୍ବରୁ ଯାତ୍ରୀଙ୍କୁ ମିଳୁଥିବା ୬୦ ଟଙ୍କାର ମିଲ୍ ୪ ଗୁଣ ବୃଦ୍ଧି ହୋଇଥିବା ନେଇ ଅଭିଯୋଗ ଆସିଲା । ଖାଲି ସେତିକି ନୁହେଁ କରୋନା ବେଳେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ଟିକେଟ୍ ବୁକିଂ ବେଳେ ରିହାତି ବ୍ୟବସ୍ଥା ଥିଲା । କରୋନା ଗଲାଣି ପଛକେ ଏ ପର୍ଯ୍ୟନ୍ତ ଆଉ ସେ ରିହାତି ବ୍ୟବସ୍ଥାକୁ ଆଉ ଲାଗୁ କରାଯାଉନି ବୋଲି ଅଭିଯୋଗ ହୋଇଛି ।