ରାଜ୍ୟରେ କମିଛି ଦାରିଦ୍ର୍ୟ, ବଢ଼ିଛି ମୁଣ୍ଡପିଛା ଆୟ

1 min read
Odisha Economic Survey Report, Per Capita Income Increased By 115.60 Percentage

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ । କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟର ଅଭିବୃଦ୍ଧି ପ୍ରଭାବିତ ହେବ । ୨୦୨୦-୨୧ରେ ଅଭିବୃଦ୍ଧି ହାର ୪.୯୨%କୁ ହ୍ରାସ ପାଇବ । ୨୦୧୯-୨୦ରେ ଅଭିବୃଦ୍ଧି ହାର ୫.୨୧ ପ୍ରତିଶତ ଥିଲା । କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ଜାତୀୟ ହାରଠୁ ଅଧିକ ଆକଳନ କରାଯାଇଛି । ୨୦୨୦-୨୧ରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୬.୫୪% ଆକଳନ କରାଯାଇଛି । ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ହାର ୮.୮୩% ଆକଳନ । ଓଡ଼ିଶାରେ ମୁଣ୍ଡପିଛା ଆୟରେ ୧୧୫.୬୦% ବୃଦ୍ଧି ଘଟିଛି । ୨୦୧୧-୧୨ରେ ମୁଣ୍ଡପିଛା ଆୟ ୪୮ ହଜାର ୪୯୯ ଟଙ୍କା ଥିଲା । ଯାହା ୨୦୧୯-୨୦ରେ ୧ ଲକ୍ଷ ୪ ହଜାର ୫୬୬କୁ ବୃଦ୍ଧି ପାଇଛି । ୧୦ ବର୍ଷ ମଧ୍ୟରେ ଏହି ବୃଦ୍ଧି ହାର ୧୧୫.୬୦% ଥିଲା । ଏହି ଅବଧିରେ ସର୍ବଭାରତୀୟ ମୁଣ୍ଡ ପିଛା ଆୟ ୬୩ ହଜାର ୪୬୨ ଟଙ୍କାରୁ ୧ ଲକ୍ଷ ୩୪ ହଜାର ୨୨୬ ଟଙ୍କା ଥିଲା । ଅର୍ଥାତ୍ ଏକ ଦଶନ୍ଧିରେ ଓଡ଼ିଶାର ମୁଣ୍ଡପିଛା ଆୟ ଭାରତର ମୁଣ୍ଡପିଛା ଆୟ ତୁଳନାରେ ଦ୍ରୁତଗତିରେ ବୃଦ୍ଧି ପାଇଛି ।

ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମେଘାଳୟ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଠାରୁ ଓଡ଼ିଶାର ମୁଣ୍ଡ ପିଛା ଆୟ ଅଧିକ ରହିଛି । ୨୦୨୦ରେ ମୁଦ୍ରାସ୍ଫୀତି ହାର ୮.୪୯ ପ୍ରତିଶତକୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ସହରାଞ୍ଚଳଠାରୁ ଅଧିକ ରହିଛି । ୨୦୦୪-୦୫ ଓ ୨୦୧୧-୧୨ ମଧ୍ୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୨୫ ପ୍ରତିଶତ ହ୍ରାସ ପାଇଛି । ଯାହା ଜାତୀୟ ହାର ଠାରୁ ଅଧିକ । ୨୦୧୯-୨୦ରେ ୩ ଲକ୍ଷ ୯୪ ହଜାର ୨୧୨ ଘର ତିଆରି ହୋଇଛି । ଏହା ମଧ୍ୟରୁ ୩ ଲକ୍ଷ ୫୭ ହଜାର ୯୧୪ଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବେଳେ ୧୫ ହଜାର ୫୬୭ଟି ଘର ବିଜୁ ପକ୍କାଘର ଯୋଜନା, ୧୮୫୮ ଘର ପକ୍କା ଘର ଯୋଜନା (ଖଣି), ୧୦ ଲହଜାର ୯୮୩ଟି ଘର ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଓ ୭ ହଜାର ୮୯୦ ବିପିଜିୱାଇ ଅନ୍ତର୍ଗତରେ ନିର୍ମିତ ହୋଇଛି ।

୨୦୧୯-୨୦ରେ ମନେରଗାରେ ୧୧, ୧୫.୭୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି । ଯାହା ୨୦୧୮-୧୯ରେ ୮୩୦.୩ ଲକ୍ଷ ଥିଲା ଯେଉଁଥିରେ ୨୩.୨୭ ଲକ୍ଷ ଗ୍ରାମାଞ୍ଚଳ ପରିବାର ଏହାଦ୍ୱାରା ଉପକୃତ ହୋଇଥିଲେ । ୨୦୧୯-୨୦ରେ ୩୧.୮୬ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଓଡ଼ିଶାରେ ୨୦୨୦ କୃଷିନୀତି ଓ ମତ୍ସ୍ୟନୀତି ଯୋଗୁଁ ଗ୍ରାମ୍ୟ ଅର୍ଥନୀତିରେ ସୁଧାର ଆସିଛି । ୨୦୧୯-୨୦ରେ ଖାଦ୍ୟ ସାମଗ୍ରୀ ଉତ୍ପାଦନରେ ୨୦% ବୃଦ୍ଧି ହୋଇଛି । ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ଓଡ଼ିଶାରେ ରପ୍ତାନୀ ବୃଦ୍ଧି ପାଇଛି । ଖରିଫ୍ ଋତୁରେ ୩% ଅଧିକ ଜମିକୁ ଜଳସେଚନ ହୋଇଛି  । ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ରାଜ୍ୟର ୨୪.୬ ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଇଛି । ଏହି ଅବଧିରେ ଜାତୀୟ ସ୍ତରରେ ହାର ଥିଲା ୧୫.୩ ପ୍ରତିଶତ । ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ପଦକ୍ଷେପ ଯୋଗୁଁ ଏହା ସମ୍ଭବପର ହୋଇପାରିଛି ।

Leave a Reply