ଭଲ ସେବା କଲେ ଡାକ୍ତରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା

1 min read

ଭଲ ସ୍ୱାସ୍ଥ୍ୟ ସେବା ପାଇଁ ଏଣିକି ସମ୍ମାନ ମିଳିବ । ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ପାଇବେ ଡାକ୍ତର । ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଥମକରି ମୁଖ୍ୟମନ୍ତ୍ରୀ ସମ୍ମାନ ଘୋଷଣା କରିଛନ୍ତି ସରକାର । ଏହାକୁ ସର୍ବୋଚ୍ଚ ସମ୍ମାନ ମଧ୍ୟ କୁହାଯାଉଛି । ଆଜି ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀମାନେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ରୋଗୀଙ୍କ ଯତ୍ନ ନେଉଛନ୍ତି । ତେଣୁ ଏହି ନିଷ୍ଠାପର ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରିଛନ୍ତି । ଏହା ସହିତ ଭଲ କାମ କରୁଥିବା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ ବୋଲି କହିଛନ୍ତି ସରକାର ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ପୁରସ୍କାର ଭାବରେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଶ୍ରେଷ୍ଠ ବିବେଚିତ ୧୦ ଜଣ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଡାକ୍ତରଙ୍କ କ୍ଷେତ୍ରରେ ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଥିବା ବେଳେ ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ରଖାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱ ମାନଙ୍କର ଏକ କମିଟି ଏହି ପୁରସ୍କାର ନିମନ୍ତେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

ସ୍ୱାସ୍ଥ୍ୟସେବା ବୃତ୍ତିଧାରୀଙ୍କ ପାଇଁ କ୍ୟାରିଅର୍ ଆଓ୍ୱାର୍ଡ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତି କରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତୀ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯିବ । ଏଥିପାଇଁ ସେ ସର୍ବନିମ୍ନ ୨୫ ବର୍ଷ ସ୍ଥାୟୀ ଚାକିରି କରିଥିବା ଆବଶ୍ୟକ ।

ସେହିପରି ନ୍ୟାସନାଲ୍ କ୍ୱାଲିଟି ଏକ୍ରିଡିଟେସନ୍ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନସ୍ ଭାବରେ ପରବର୍ତ୍ତୀ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ।

କାୟାକଳ୍ପ ପ୍ରମାଣପତ୍ର

କାୟାକଳ୍ପ ପ୍ରମାଣପତ୍ର ପାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ୍ ଭାବରେ ଦିଆଯିବ ।

ଲକ୍ଷ୍ୟ ପ୍ରମାଣ ପତ୍ର

ଲକ୍ଷ୍ୟ ପ୍ରମାଣ ପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ୱ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ୍ ଆକାରରେ ଦିଆଯିବ । ସରକାରୀ ଡାକ୍ତରଖାନା ଯାଉଥିବା ରୋଗୀମାନଙ୍କର ମତାମତକୁ ଭିତ୍ତି କରି ସ୍ଥିର କରାଯାଇଥିବା ଶ୍ରେଷ୍ଠ ୫ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତ୍ରୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ ।

ତା ସହିତ ବର୍ଷସାରା ଭଲ କାମ କରିଥିବା ସ୍ଥାୟୀ ମେଡିକାଲ୍ କର୍ମଚାରୀ ମାନଙ୍କୁ ଏଲଟିସିରେ ବିଦେଶ ଭ୍ରମଣ ସୁଯୋଗ ଦିଆଯିବ ଏବଂ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ତାଲିମ ନିମନ୍ତେ ବିଦେଶ ପଠାଯିବ ।

ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ପୁରସ୍କାର

ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତୀଯୋଗୀତା ସୃଷ୍ଟି କରିବା ଏବଂ ଆମର ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ନ୍ୟାସନାଲ୍ ଲେଭଲ କ୍ୱାଲିଟି ଏକ୍ରିଡିଟେସନ୍ ହାସଲ ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କ ସଫଳତାର ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଘୋଷଣା କରାଯାଇଛି ।

ସୁନ୍ଦରଗଡ଼, ରାଉରକେଲା ଓ ମୟୁରଭଞ୍ଜ ଏସପିଙ୍କୁ ରକ୍ତଦାନ ଶିବିରକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ୨ଟି ଆମ୍ବୁଲାନ୍ସ ଓ ୨ଟି ମହାପ୍ରୟାଣ ଗାଡି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରାଯିବ । ରାଉରକେଲା ସରକାରୀ ହସ୍ପିଟାଲର ବେଡ୍ ସଂଖ୍ୟା ୪୦୦କୁ ବୃଦ୍ଧି କରାଯିବ । ରାଉରକେଲା ଓ ମୟୁରଭଞ୍ଜ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଜିଲ୍ଲା ଖଣି ପାଣ୍ଠିରୁ ଯୋଗାଇ ଦିଆଯିବ। ')}

Leave a Reply