ରାଷ୍ଟ୍ରପତି ନିର୍ବାଚନରେ ଗେମ୍ ଚେଞ୍ଜର ହେବେ ନବୀନ

ଭୁବନେଶ୍ବର: ଅଢେଇ ମାସ ପରେ ରାଷ୍ଟ୍ରପତି ନିର୍ବାଚନ । ଏନଡିଏ ଓ ଉପା ପ୍ରାର୍ଥୀ ଖୋଜା ଆରମ୍ଭ କରିଥିବା ବେଳେ ଦିଲ୍ଲୀ ଦରବାରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟାନ ଜାତୀୟ ରାଜନୀତିକୁ ରୋଚକ ମୋଡ଼ରେ ପକାଇଛି । ପ୍ରାର୍ଥୀ ଅନୁସାରେ ସମର୍ଥନ କରାଯିବା ନେଇ ଜାତୀୟ ଗଣମାଧ୍ୟମକୁ ନବୀନ କହିବା ପରେ ଆରମ୍ଭ ହୋଇଛି ରାଷ୍ଟ୍ରପତି ଭୋଟିଂର ଗଣିତ ।

ରାଷ୍ଟ୍ରପତି ପ୍ରାର୍ଥୀ ଦେଖି ସମର୍ଥନ ନିଷ୍ପତ୍ତି । କାହା କଥାରେ ନୁହେଁ, ବିଜେଡିର ରହିଛି ସ୍ବାଧୀନତା । ଜାରି ରହିବ ସମଦୂରତା ଥିଓରି । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେଇ ଏକ ଜାତୀୟ ଗଣମାଧ୍ୟମକୁ ବୟାନ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଗୁରୁତ୍ବ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଅଧିକ ରହିଛି । ନା ଉପା ନା ଏନଡିଏ, କେହି ବି ନିଜ ଶକ୍ତିରେ ରାଷ୍ଟ୍ରପତି ନିର୍ବାଚିତ କରିପାରିବେ ନାହିଁ । ଲୋକସଭା ଓ ରାଜ୍ୟସଭାକୁ ମିଶାଇ ବିଜେଡି ପାଖରେ ଅଛନ୍ତି ୨୧ ଜଣ ସାଂସଦ । ଯାହା ଦଳର ଭୋଟିଂର ପ୍ୟାଟର୍ଣ୍ଣକୁ ୩.୨୨ ପ୍ରତିଶତ ରଖିଛି । ସେହିପରି ବିଜେଡି ପାଖରେ ୧୧୩ ଜଣ ବିଧାୟକ ଅଛନ୍ତି । ଦଳର ଏପରି ଅହେତୁକ ସଂଖ୍ୟା ଯୋଗୁଁ ଉଭୟ ଦଳର ପ୍ରାର୍ଥୀକୁ ଆବଶ୍ୟକ ପଡ଼ିବ ବିଜେଡିର ସମର୍ଥନ ।

ରାଷ୍ଟ୍ରପତି ନିର୍ବାଚନରେ ୧୦ ଲକ୍ଷ ୯୮ ହଜାର ୯୦୩ ଭୋଟ ସଂଖ୍ୟା ରହିଛି । ତେବେ ଜମ୍ମୁ କାଶ୍ମୀରରେ ଭୋଟିଂ ହୋଇ ନଥିବାରୁ, ୬ ହଜାର ୨୬୪ ଭୋଟ ବାଦ ପଡ଼ିବ । ଏଥିପାଇଁ ୫ ଲକ୍ଷ ୪୬ ହଜାର ୩୨୦ ଭୋଟ ହିଁ ମ୍ୟାଜିକ ଫିଗର । ବର୍ତ୍ତମାନ ବିଜେପି ଶାସିତ ରାଜ୍ୟ, ବିଜେପି ସାଂସଦ ଓ ସହଯୋଗୀ ଦଳଙ୍କ ଭୋଟ ସମୁଦାୟ ୫ ଲକ୍ଷ ୩୭ ହଜାର ୧୨୬ ରହିଛି । ଅବଶିଷ୍ଟ ୯ ହଜାର ୧୯୪ ଭୋଟ ପାଇଁ ବିଜେଡି ଓ ଓ୍ବାଇଏସଆର କଂଗ୍ରେସର ସମର୍ଥନ ଦରକାର । ତେବେ ସମଦୂରତା କଥାକୁ ପୁଣି ଦୋହରାଇଥିବା ନବୀନ, ଉଭୟ ଉପା ଓ ଏନଡିଏ ପାଇଁ ଚ୍ୟାଲେଞ୍ଜ ଛାଡ଼ିଛନ୍ତି ।

ବିଜେପି ଗତ ଥର ଭଳି ମେଣ୍ଟରେ ଥିବା ଦଳ ସହ ବିଜେଡିକୁ ସହଯୋଗ ମାଗିବ ବୋଲି ଦଳର ରାଜ୍ୟସ୍ତରୀୟ ନେତା ମତ ଦେଇଛନ୍ତି । ନବୀନ ବିଜେଡିର ପ୍ରାର୍ଥୀ ଚୟନ ସ୍ବାଧୀନତା କଥା ଉଠାଇବାରୁ କଂଗ୍ରେସ ରଣନୀତି ପରିବର୍ତ୍ତନ କରିବା ମୁଡରେ ରହିଛି । ତେବେ ନବୀନଙ୍କର ରାଷ୍ଟ୍ରପତି ପ୍ରାର୍ଥୀ ଚୟନର ମାପଦଣ୍ଡ ରାଜ୍ୟ ହିତରେ ଥିବାରୁ, ରାଜନୈତିକ ସମୀକ୍ଷକ ସ୍ବାଗତ କରିଛନ୍ତି । କାରଣ ରାଜ୍ୟର ମୁଖିଆ ଦେଶ ପାଇଁ ଉଚିତ୍ ପ୍ରାର୍ଥୀକୁ ସମର୍ଥନ ଦେବେ ।

ରାଷ୍ଟ୍ରପତି ନିର୍ବାଚନରେ ସବୁବେଳେ ବିଜେଡି ଗଣିତକୁ ଜାତୀୟ ରାଜନୀତି ଅପେକ୍ଷା କରିଥାଏ । ୨୦୧୧ରେ ସମସ୍ତଙ୍କ ଚକିତ କଲା ଭଳି ଆଞ୍ଚଳିକ ଦଳ ବିଜେଡି, ପୂର୍ବତନ ମେଘାଳୟ ମୁଖ୍ୟମନ୍ତ୍ରୀ ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ଘୋଷଣା କରିଥିଲା । ଅନ୍ୟପଟେ ସବୁ ସମୟରେ ବିଜେଡି ଏନଡିଏ ପ୍ରାର୍ଥୀକୁ ସମର୍ଥନ ଦେଇ ନଥାଏ ବୋଲି ନବୀନ କହିବା ପରେ, ବିଜେଡିର ଗୋଟି ଚାଳନା ଉପରେ ସାରା ଦେଶ ନଜର ରଖିଛି ।