ବାଚସ୍ପତି ଓ ଦୁଇମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା; ଖୁବଶୀଘ୍ର ହେବ ମନ୍ତ୍ରିମଣ୍ଡଳ ଅଦଳବଦଳ !

ନନ୍ଦିଘୋଷ ବ୍ୟୁରୋ: ନବୀନଙ୍କ ମନ୍ତ୍ରିଣ୍ଡଳରେ କିଏ ମାରିବେ ଏଣ୍ଟ୍ରି ? ନବୀନ ନା ପ୍ରବୀଣ ? ଦିଲ୍ଲୀରୁ ବାହୁଡ଼ିବା ପରେ ମନ୍ତ୍ରିମଣ୍ଡଳରେ ନବୀନଙ୍କ ପାଇଁ କିଏ ରହିବ ରାଇଟ୍ ଚଏସ୍ ଏହାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ବିଜେଡି ସୁପ୍ରିମୋ ଅଞ୍ଚଳଭିତ୍ତିରେ ନିଜ ସହଯୋଗୀ ବାଛିବେ ନା ମହିଳା କାର୍ଡ ଖେଳିବେ ତାହା ସ୍ୱୟଂ ନବୀନଙ୍କୁ ହିଁ ଜଣା । ମୁଣ୍ଡ ଉପରେ ଭୋଟ୍ ତେଣୁ ବିଧାନସଭାର ଠିକଣା ପରିଚାଳନା ମଧ୍ୟ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ।

ବାଚସ୍ପତି ପଦରେ କେଉଁ ଭେଟେରାନଙ୍କୁ ବସାଇବେ ସେନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେବେ ନବଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବେ ଅର୍ଥମନ୍ତ୍ରୀଙ୍କ ନିକଟରେ ଅଛି । ଦୁଇଜଣ ମନ୍ତ୍ରୀ ଆଜି ଇସ୍ତଫା ମଧ୍ୟ ଦେଇଛନ୍ତି । ତେଣୁ ମୋଟାମୋଟି ନବୀନ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବା ଏକ ରକମ ନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞ ଭବିଷ୍ୟବାଣୀ କରୁଛନ୍ତି । ତେବେ ସବୁ କିଛି ନବୀନଙ୍କ ଇସାରା ପରେ ହିଁ ସ୍ପଷ୍ଟ ହେବ ।

ଉଲ୍ଲେଖଯୋଗ୍ୟ, ବିଧାନସଭା ବାଚସ୍ପତି ଓ ଦୁଇମନ୍ତ୍ରୀ ଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ସ୍କୁଲ ଓ ଗଣଶିକ୍ଷା ସମୀର ରଞ୍ଜନ ଦାଶ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଫଳରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ସମ୍ଭାବନା ଦେଖାଦେଇଛି । ତେବେ ନୂଆ ମୁଁହଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଦିଲ୍ଲୀରୁ ଫେରିବା ଏସମ୍ପର୍କରେ ନିଷ୍ପତ୍ତି ନେବେ ।

ଗତବର୍ଷ ଜୁନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ କହି ସମସ୍ତଙ୍କୁ ଆଶ୍ଚମ୍ବିତ କରିଦେଇଥିଲେ । ଏହାପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ଏଥିରେ କିଛି ନୂଆ ମୁହଁଙ୍କୁ ସାମିଲ କରିଥିଲେ । ସାଧାରଣ ନିର୍ବାଚନକୁ ଆଉ ବର୍ଷେ ସମୟ ବାକି ଅଛି । ଏହା ପୂର୍ବରୁ ଦଳକୁ ମଜବୁତ ଏବଂ ଦଳ ଉପରେ ଲୋକଙ୍କ ଭରସା ବଳବତ୍ତର ରଖିବା ପାଇଁ ଏହି ମାଷ୍ଟ୍ରଷ୍ଟ୍ରୋକ ନବୀନ ଖେଳିଥିବା କୁହାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀଜଳ ବିଭାଗ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଉଛି ।