ଚାଲିପାରୁନି ବିଧାନସଭାର ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକରେ ହୋଇପାରୁନି ସହମତି

1 min read

ଭୁବନେଶ୍ବର: ଚାଲିପାରୁନି ବିଧାନସଭାର ବଜେଟ ଅଧିବେଶନ । ଆଜି ରାଜ୍ଯପାଳଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଓ ଆଲୋଚନା ମଧ୍ଯ ହୋଇପାରିଲାନି । ଗତ ଦୁଇ ଦିନ ହେଲା ବିଧାନସଭାକୁ ବିଜେଡି ଓ କଂଗ୍ରେସ ଏକପ୍ରକାର ନିଜ କବଜାକୁ ନେଇ ଯାଇଛନ୍ତି ।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକମାନେ ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗରେ ଆଲୋଚନା ଦାବି କରି ନିଜ ଆସନରେ ଠିଆ ହୋଇ ହୋହଲ୍ଲା କରିଥିଲେ । ସେହିଭଳି ସାଧାରଣ ବଜେଟରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇ କଂଗ୍ରେସ ମଧ୍ଯ ହୋହଲ୍ଲା କରିଥିଲା । ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । କଂଗ୍ରେସ ବିଧାୟକମାନେ ଗୃହର ମଧ୍ଯଭାଗକୁ ଆସି ନାରାବାଜି କରିଥିଲେ । ବାଚସ୍ପତି ଗୃହକୁ ଦିନ ସାଢେ ଏଗାରଟା ଯାଏଁ ମୁଲତବି ଘୋଷଣା କରିଥିଲେ ।

ଆଜି ସାଢେ ଏଗାରଟାରୁ ରାଜ୍ଯପାଳଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଆଲୋଚନା ହେବାର ଥିଲା । କିନ୍ତୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଯେ ପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ ସେ ପର୍ଯ୍ୟନ୍ତ ବିଜେଡି ଗୃହକାର୍ଯ୍ୟରେ ଭାଗ ନେବ ନାହିଁ ବା ଧନ୍ଯବାଦ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲା । କଂଗ୍ରେସର ଆଭିମୁଖ୍ଯ ମଧ୍ଯ ଆକ୍ରମଣାତ୍ମକ ରହିଥିଲା । ସାଢେ ଏଗାରଟାବେଳେ ଗୃହ ପୁଣି ଆରମ୍ଭ ହେବା ମାତ୍ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୪ଟା ଯାଏଁ ମୁଲତବି ରଖିଥିଲେ । ସର୍ବଦଳୀୟ ବୈଠକରେ ସମସ୍ତ ଦଳ ଯୋଗଦେଇଥିଲେ ମଧ୍ଯ କୌଣସି ସହମତି ହୋଇନଥିଲା ।

ଅପରାହ୍ନରେ ଉପ-ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଗଣତାନ୍ତ୍ରିକ ମୂଲ୍ଯବୋଧ ଦୃଷ୍ଟିରୁ ଏଥିରେ ଅଂଶଗ୍ରହଣ କରିବ ବୋଲି ବିଜେଡି କହିଛି । ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମଧ୍ଯ ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଗୃହ ଚଳାଇବାରେ ବିଜେପି ଅସମର୍ଥ ବୋଲି ବିଜେଡି ଆକ୍ଷେପ କରିଛି ।