ଶାନ୍ତି ଶୃଙ୍ଖଳାର ସହ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ମୋଟ ୭୧ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଆଜି ୭୧ ପ୍ରତିଶତ ମତଦାନ ହୋଇଛି । କାଁ ଭାଁ ଗଣ୍ଡଗୋଳକୁ ଛାଡ଼ି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ୩୦ ଜିଲ୍ଲାର ୨୦ ହଜାର ୪୩୬ ବୁଥରେ ୧୮୬ ଜିଲ୍ଲା ପରିଷଦ ଜୋନ ସହ ୧୫୧୪ ପଞ୍ଚାୟତରେ ଭୋଟ ପଡ଼ିଛି । ବାଲଟ ବକ୍ସରେ ସିଲ ହୋଇଯାଇଛି ପ୍ରାର୍ଥୀମାନଙ୍କ ଭାଗ୍ୟ ।

ବୁଥରେ ଧାଡ଼ିରେ ଯାଇ ଜଣେ ଭୋଟର ଦେଇଛନ୍ତି ୪ଟି ଭୋଟ୍‌ । ଓ୍ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି, ସମିତି ସଭ୍ୟ ପାଇଁ ନୀଳ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଧଳା ବାଲଟ ପେପରରେ ଭୋଟର ନିଜ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ ବ୍ଲକର ୨୦ ହଜାର ୪୩୬ ବୁଥରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ, ୧୫୧୪ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ସରିଛି । ୨୦୧୭ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୭ ଦଶମିକ ୯୧ ପ୍ରତିଶତ ମତଦାନ ହୋଇଥିଲା । ଏଥର ୭୦ ପ୍ରତିଶତ ଟପିଛି ।

ଭୋଟଗ୍ରହଣ ପରେ ବାଲଟ୍ ବକ୍ସଗୁଡ଼ିକୁ ବ୍ଲକ ସ୍ତରରେ ଥିବା କଣ୍ଟ୍ରୋଲ ରୁମକୁ ନେଇ କଡ଼ା ସୁରକ୍ଷାରେ ରଖାଯାଇଛି । କିଛି ସ୍ଥାନରେ ବିଭିନ୍ନ କାରଣରୁ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ବାଲଟ ପେପରରେ ତ୍ରୁଟି ପାଇଁ ଦୁଇ ତିନିଟି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେ । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିଶନ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ।  ୨୦ ତାରିଖ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିଛି । ଏହି ପର୍ଯ୍ୟାୟରେ ୨୯ ଜିଲ୍ଲାର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ୧୩୮୨ ପଞ୍ଚାୟତରେ ଭୋଟିଂ ହେବ । ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖ ତିନିଧରି ଭୋଟ ଗଣତି ହେବ ।

Leave a Reply