କେନିଆର ରୋଲ୍ ମଡେଲ ଓଡ଼ିଆ ଡାକ୍ତର ସ୍ୱରୂପ ରଂଜନ

1 min read

ନାଇରୋବି : ଓଡ଼ିଆ ପୁଅ, କେନିଆ ଏମ୍‌ପି। ପେଶା ପାଇଁ ବିଦେଶ ଯାଇଥିବା ଜଣେ ଓଡ଼ିଆ ଯୁବକ କେନିଆ ପାର୍ଲାମେଣ୍ଟର ସାଂସଦ। ଖାଲି ସେତିକି ନୁହେଁ, କେନିଆ ଉନ୍ନତି ପ୍ରକ୍ରିୟାରେ ତାଙ୍କ ଭୂମିକା ଯୋଗୁଁ ଦେଶବାସୀଙ୍କ ପାଇଁ ସେ ଏବେ ରୋଲ ମଡେଲ। ସେଇ ସଫଳ ଓଡ଼ିଆ ଜଣକ ହେଲେ ଡାକ୍ତର ସ୍ୱରୂପ ରଂଜନ ମିଶ୍ର। କୌଣସି ଆଫ୍ରିକୀୟ ଦେଶରେ ସାଂସଦ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। କେନିଆରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ସ୍ୱରୂପ ରଂଜନଙ୍କ ଠାରୁ ଦେଶବାସୀ ଅନେକ କିଛି ଆଶା କରି ସଂସଦକୁ ନିର୍ବାଚିତ କରିଛନ୍ତି। ଶରୀରର ବର୍ଣ୍ଣ, ଜନ୍ମସ୍ଥାନ ଆଦିକୁ ନେଇ ବହୁ ଭେଦଭାବ ଥିବା କେନିଆରେ ନିର୍ବାଚନ ଲଢ଼ିବା ଖୁବ୍‌ କଷ୍ଟକର ହୋଇଥିବା ବେଳେ ଆଖିଦୃଶିଆ ବ୍ୟବଧାନରେ ଜିତି ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି ସ୍ୱରୂପ ରଂଜନ ।

ସେବାରୁ ସଂସଦ…

ଏହି ଲମ୍ବା ପଥର ପଥିକ ସାଜି ଲକ୍ଷଲକ୍ଷ କେନିଆବାସୀଙ୍କ ହୃଦୟ ଜିତିଛନ୍ତି ସ୍ୱରୂପ। ପେଶା ପାଇଁ କେନିଆ ଯାଇଥିଲେ ସ୍ୱରୂପ ରଂଜନ। କିନ୍ତୁ ସେଠାକାର ଲୋକଙ୍କ ଆଥିର୍କ ଓ ସାମାଜିକ ଦୁର୍ଦଶା ଦେଖି ଜଣେ ପେଶାଦାର ଡାକ୍ତର ବଦଳରେ ଆରମ୍ଭ କରିଥିଲେ ସୁଲଭ ସ୍ୱାସ୍ଥ୍ୟସେବା ଅଭିଯାନ । ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ତାଙ୍କ ଚିକିତ୍ସା ଥିଲା ଦେୟମୁକ୍ତ। ହଜାର ହଜାର ନିଃସ୍ୱଙ୍କୁ ନିଜ ଉଦ୍ୟମରେ ମୃତ୍ୟୁ ମୁହଁରୁ ବ଼ଞ୍ଚାଇବା ସହ ଚିରକାଳ ସେବା କରିବା ନିମନ୍ତେ କେନିଆରେ ସ୍ଥାୟୀ ଭାବେ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ସ୍ୱାସ୍ଥ୍ୟସେବା ଓ ସମାଜିକ କ୍ଷେତ୍ରରେ ଖୁବ୍‌ ଗୁଡ଼ାଏ କାମ କରିବା ପରେ କେନିଆ ଲୋକେ ଚାହିଁଥିଲେ ସ୍ୱରୂପ ରଂଜନ ରାଜନୀତିକୁ ଆସନ୍ତୁ। ଆଉ ଲୋକଙ୍କ ଅନୁରୋଧରେ ସେ ନିର୍ବାଚନ ଲଢ଼ିଥିଲେ। ସ୍ୱରୂପ ରଂଜନ ଜୁବୁିଲି ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଓ୍ୱାଜିନ୍ ଗିସୁ କାଉଣ୍ଟି (ପ୍ରଦେଶ)ର କିସିସ୍‌ ସଂସଦୀୟ ଆସନରୁ ସେ ଲଢୁଥିଲେ। ତାଙ୍କ ବିପକ୍ଷରେ ଥିଲେ ଓ୍ୱାଜିନ୍ ଗିସୁ ପ୍ରଦେଶର ବାଚସ୍ପତି ଆଇଜାକ୍‌ ଟିରର। ନିର୍ବାଚନ ପ୍ରଚାର ବେଳେ ଏଣୁତେଣୁ ବହୁତ ଏଜେଣ୍ଡା ନରଖି କେବଳ କେନିଆର ଉନ୍ନତିକୁ ପ୍ରାଥମିକତା ଦେଇଥିଲେ। ସ୍ୱରୂପ ରଂଜନ ମୋଟ୍‌ ୨୩ ହଜାର ୩୧୪ ଭୋଟ୍‌ ପାଇଥିବା ବେଳେ ଆଇଜାକ୍‌ ଟିରରଙ୍କୁ ମିଳିଥିଲା ମାତ୍ର ୫ ହଜାର ୬୮୧ ଭୋଟ୍‌। କେନିଆରେ ମୋଟ୍‌ ୪୭ଟି କାଉଣ୍ଟି (ପ୍ରଦେଶ) ରହିଛି। ସେଥିମଧ୍ୟରୁ ଓ୍ୱାଜିନ୍ ଗିସୁ ପ୍ରଦେଶ ରିଫ୍ଟ ଭ୍ୟାଲିରେ ଅବସ୍ଥିତ। ଓ୍ୱାଜିନ୍ ଗିସୁର ସହର ଏଲଡୋରେଟ୍‌ ଦେଶର ପ୍ରଶାସନିକ ଓ ବାଣିଜ୍ୟିକ କେନ୍ଦ୍ର ଭାବେ ପରିଚିତ। ଅର୍ଥାତ ଏଠାରେ ସମସ୍ତ ସଚେତନ ଲୋକେ ହିଁ ରହନ୍ତି। ଏପରି ଏକ ମର୍ଯ୍ୟଦାଜନକ ଆସନରୁ ଜିତିବା କାଠିକର ହୋଇଥାଏ।

ପଞ୍ଚୁପଲ୍ଲୀରୁ ନାଇରୋବି… ଲମ୍ବା ଯାତ୍ରା

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ସ୍ୱରୂପ ରଂଜନ ମିଶ୍ରଙ୍କ ଜନ୍ମ। ଜିଲ୍ଲାର ପଛୁଆ ଅଞ୍ଚଳ ଭାବେ ପରିଚିତ ନଈପାଖ ଗାଁ ପଞ୍ଚୁପଲ୍ଲୀଁରେ ସେ ବଢ଼ିଥିଲେ। ଏହିଠାରେ ସେ ସ୍କୁଲଶିକ୍ଷା ସାରିବା ପରେ କଟକରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଏହା ପରେ ବ୍ରହ୍ମପୁର ଯାଇ ଏମକେସିଜିରେ ମେଡିକାଲ ଶିକ୍ଷା ଲାଭ କରିଥିଲେ। ମେଡିକାଲ ଶିକ୍ଷା ସମାପ୍ତ ପରେ ସେ ମୁମ୍ବାଇ ଯାଇ ହିନ୍ଦୁଜା ହସପିଟଲରେ କାମ କରିଥିଲେ। ମାତ୍ର ୧୯୯୭ରେ ସ୍ୱରୂପ ରଂଜନ ନିଜ ପତ୍ନୀ ପଲ୍ଲବୀଙ୍କ ସହିତ କେନିଆ ଯାଇଥିଲେ। ପଲ୍ଲବୀ ବୃତ୍ତିରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ। ମାତ୍ର ୫୦୦ ଡଲାର ନେଇ ଯାଇଥିଲେ ଓ ସେତେବେଳେ ଏହାକୁ ୫୦ ହଜାର ସିଲିଂରେ ବଦଳାଇ ଆରମ୍ଭ କରିଥିଲେ ବ୍ୟବସାୟ। ସେବେଠାରୁ ଏହି ଓଡ଼ିଆ ଦମ୍ପତ୍ତି କେନିଆରେ ରହିଆସୁଛନ୍ତି। ଆମେରିକା ଓ କାନାଡାର ଟରଣ୍ଟୋ ଆଦିରେ ତାଙ୍କୁ କାମ କରିବାକୁ ସୁଯୋଗ ମିଳିଥିଲେ ହେଁ କେନିଆରୁ ମୁହଁ ଫେରାଇନାହାନ୍ତି ସ୍ୱରୂପରଂଜନ। ସ୍ୱରୂପରଂଜନ ନିଜ ଉଦ୍ୟମରେ କେନିଆରେ ୪ଟି ହସପିଟାଲ ସହିତ ୫ଟି ପ୍ରାଥମିକ ସ୍କୁଲ ଓ ୪ଟି ହାଇସ୍କୁଲ ପ୍ରତିଷ୍ଠା କରିଛନ୍ତି। ସେ ଏଠାରେ ମେଡିହିଲ ଗ୍ରୁପ୍‌ ଅଫ ହସପିଟାଲ ପ୍ରତିଷ୍ଠା କରାଇଛନ୍ତି ଯାହାକି ଏବେ ଦେଶର ସବୁଠାରୁ ବଡ଼ ସୁପର ସ୍ପେସାଲିଟି ହସପିଟାଲ।


ସ୍ୱରୂପରଂଜନ ସାଜିଛନ୍ତି କେନିଆର ରୋଲ ମଡେଲ। ସଂସଦର ହେଲଥ କମିଟିର ସେ ହେଉଛନ୍ତି ଉପାଧ୍ୟକ୍ଷ। କେନିଆ ଚାମ୍ବର ଅଫ ଇଣ୍ଡଷ୍ଟ୍ରିଜ୍‌ ଓ କମର୍ସର ସେ ନିର୍ଦ୍ଦେଶକ । ଏଥିସହିତ ଭାରତ-କେନିଆ ବିଜିନେସ କାଉନସିଲର ସେ ହେଉଛନ୍ତି ପ୍ରମୁଖ ସଦସ୍ୟ। ପତ୍ନୀ ପଲ୍ଲବୀ ଏବେ ଏମ.ଓ.ଆଇ ବିଶ୍ୱବିଦ୍ୟାଳୟର ପ୍ରସୂତି ବିଭାଗର ପ୍ରଖ୍ୟାତ ଡାକ୍ତର । ଏତେସବୁ ସତ୍ୱେ ବି ସ୍ୱରୂପରଂଜନ ଜନ୍ମମାଟିକୁ ଭୁଲିନାହାନ୍ତି। ୧୯୯୯ ମହାବାତ୍ୟାରେ ଏରସମା ସଂପୂର୍ଣ୍ଣ ବିଧ୍ୱସ୍ତ ହୋଇଯାଇଥିଲା। ଏ ଖବର ତାଙ୍କୁ ବିଚଳିତ କରିଥିଲା। ବାତ୍ୟା ପରେପରେ ଗାଁକୁ ଆସିଥିଲେ ସ୍ୱରୂପରଂଜନ। ଗାଁଲୋକଙ୍କୁ ସାହାଯ୍ୟ କରିବା ସହ ପୁନରୁଦ୍ଧାରରେ ସହଯୋଗ କରିଥିଲେ। ଯଦିଓ ସେତେବେଳେ ସେ ଏତେ ପ୍ରତିଷ୍ଠିତ ହୋଇ ନଥିଲେ, ତଥାପି ତାଙ୍କ ସହଯୋଗ ଓ ଭୂମିକା ସ୍ମରଣୀୟ ବୋଲି ପଞ୍ଚୁପଲ୍ଲୀବାସୀ କହନ୍ତି। ସ୍ୱରୂପରଂଜନଙ୍କ ପାଇଁ କେବଳ ଏରସମା ବା ଜଗତସିଂହପୁର କାହିଁକି ସମଗ୍ର ଓଡ଼ିିଶାବାସୀ ଆଜି ଗର୍ବ ଅନୁଭବ କରନ୍ତି।

  ')}

Leave a Reply