ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ଓଡ଼ିଆ ଡେଲିଗେସନ୍‌

ଦୁବାଇ: ଦୁବାଇରେ ମେଗା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ଓଡ଼ିଆ ଡେଲିଗେସନ୍‌ । ଏଥିରେ ଓଡ଼ିଶାରେ ସମ୍ଭାବନାର ଚିତ୍ରକୁ ନେଇ ଆଲୋଚନା ହୋଇଛି । ଶିଳ୍ପ ସଚିବଙ୍କ ସହ ଓଡ଼ିଶାରୁ ଯାଇଥିବା ଶିଳ୍ପପତିମାନେ ସାରଜା ବୁଲି ପୁଞ୍ଜି ନିବେଶର ସୁଯୋଗ ପରଖିଛନ୍ତି । ଆଜି ସଂଧ୍ୟାରେ ଗଲଫ ଦେଶ ପୁଞ୍ଜିପତି ଓଡ଼ିଆ ଡେଲିଗେସନଙ୍କ ସହ ପାରସ୍ପରିକ ବ୍ୟବସାୟ ପାଇଁ ଆଲୋଚନା କରିଛନ୍ତି । ଆସନ୍ତାକାଲି ମେକଇନ୍‌ ଓଡ଼ିଶା କନକ୍ଲେଭ । ଆରମ୍ଭ ହେବ ମଧ୍ୟପ୍ରାଚ୍ୟରୁ ନିବେଶର ନୂଆ ଅଧ୍ୟାୟ ।

ଇନଭେଷ୍ଟରଙ୍କୁ ଓଡ଼ିଶା ଆମନ୍ତ୍ରଣ ପାଇଁ ନିଜେ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ କନକ୍ଲେଭ୍ ପୂର୍ବରୁ ହିଁ ଦୁବାଇରେ ନବୀନ କ୍ରେଜ୍ । ରାଜରାସ୍ତାରେ ଲାଗିଛି ବଡ଼ ବଡ଼ ହୋର୍ଡିଂ, ସବୁଠି ଉତ୍କଣ୍ଠା । ମିଡ୍ଲ ଇଷ୍ଟ ପୁଞ୍ଜିପତିଙ୍କଠାରୁ ଆରମ୍ଭ କରି ପ୍ରବାସୀ ଓଡ଼ିଆ, ସମସ୍ତଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନକୁ। ସାରଜାରେ ଫିଲ୍ଡ ଭିଜିଟ୍ ପରେ ଦୁବାଇରେ ଏକାଠି ହୋଇଛନ୍ତି ଓଡ଼ିଆ ଶିଳ୍ପପତି । କନକ୍ଲେଭ୍ ସେଠାରେ ରହୁଥିବା ଓଡ଼ିଆଙ୍କ ସମସ୍ୟା ସହ ଓଡ଼ିଶାର କଳା ସଂସ୍କୃତି ବିକାଶରେ ସେମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ସଂପର୍କରେ ବି ଚର୍ଚ୍ଚା ହେବ ।

କେବଳ ମଧ୍ୟ ପ୍ରାଚ୍ୟରୁ ପୁଞ୍ଜି ଓଡ଼ିଶା ଆସିବ ନାହିଁ, ଓଡ଼ିଶାର ପୁଞ୍ଜି ବି ଲାଗିବ ଗଲ୍ଫ ଦେଶରେ । ଭାବ ସହ ବ୍ୟବସାୟର ବି ବିନିମୟ ହେବ । ଦୁବାଇରୁ ପେଟ୍ରାକେମିକାଲ, ପେଟ୍ରୋଲିୟମ, ଆପାରେଲ, ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଟିମ୍ ଓଡ଼ିଶା ଆଶା ରଖିଛି। ଆଜିର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ପରେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଫେରିବେ ।