’ଜଣଙ୍କ ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ଖରାପ କହିବା ଠିକ୍ ନୁହେଁ’

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପିଏସଓ ଫେରାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପିଏସଓ କିଏ ରଖିବ, ନରଖିବ ତାଙ୍କ ଉପରେ ନିର୍ଭର କରେ । ସବୁ ପୋଲିସ କର୍ମଚାରୀଙ୍କୁ ଖରାପ କହିବା ଉଚିତ ନୁହେଁ । ପୋଲିସ ବିଭାଗ ପାଇଁ ଓଡ଼ିଶାରେ ଶାନ୍ତି ରହିଛି । ଡିଜିଙ୍କଠାରୁ ଗ୍ରାମରକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର କାର୍ଯ୍ୟ ଠିକ୍‌ କରୁଛନ୍ତି । ପୋଲିସ ପାଇଁ ଓଡ଼ିଶାର ସମସ୍ତ ଲୋକ ଶାନ୍ତିରେ ଶୋଇପାରୁଛନ୍ତି  ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ସେହିପରି ପୋଲିସଙ୍କ ପ୍ରତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ଷେପ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ରାଜ୍ୟର ସମସ୍ତ ପୋଲିସ କର୍ମଚାରୀ ଖରାପ ନୁହନ୍ତି । ନବକିଶୋର ଦାସଙ୍କୁ ଯିଏ ହତ୍ୟା କରିଛି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ହେଲେ ସମସ୍ତ ପୋଲିସ କର୍ମଚାରୀଙ୍କୁ ଜୟନାରାୟଣ ମିଶ୍ର ଏପରି ଆକ୍ଷେପ କରିବା ଆଦୌ ଠିକ୍‌ ନୁହେଁ । ଓଡ଼ିଶାରେ ନକ୍ସଲ ଦମନରେ ପୋଲିସ ବୀରତ୍ବ ପ୍ରଦର୍ଶନ କରିଛି । ବହୁ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଦିନରାତି କର୍ତ୍ତବ୍ୟ କରି ନକ୍ସଲଙ୍କୁ ହଟାଇବାରେ ସକ୍ଷମ ହୋଇଛି ପୋଲିସ ବାହିନୀ । ଜୟନାରାୟଣ ମିଶ୍ର ଏପରି ମନ୍ତବ୍ୟ ଦେଇ ପୋଲିସ ମନୋବଳକୁ ଭାଙ୍ଗନ୍ତୁ ନାହିଁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି । ରାଜନୀତି ନକରି ପୋଲିସଙ୍କୁ ସମ୍ମାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗି । ସାମ୍ବିଧାନିକ ପଦବୀରେ ଥିବା ବିରୋଧୀ ଦଳ ନେତା ପୋଲିସ ବିଭାଗକୁ ବିଶୃଙ୍ଖଳିତ କହିବା ଠିକ୍‌ ନୁହେଁ । ଜଣେ ପୋଲିସ ଅଧିକାରୀଙ୍କ ଭୁଲ୍‌ ପାଇଁ ରାଜ୍ୟର ପୋଲିସ ବାହିନୀକୁ ଖରାପ କହିବା ଗ୍ରହଣୀୟ ନୁହେଁ । ବିରୋଧୀ ଦଳ ନେତାଙ୍କ ଏଭଳି ଆକ୍ଷେପ ଉଚିତ ନୁହେଁ ବୋଲି କହିଛନ୍ତି ଜୟରାମ । ସେହିପରି ନବକିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତ ଚାଲିଥିବା ବେଳେ ଏଥିରେ ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି କହିଛନ୍ତି ବି.ଆର.ଏସ. ନେତା ଅକ୍ଷୟ କୁମାର । ଜଣେ ପୋଲିସର ଖରାପ କାମ ପାଇଁ ପୂରା ପୋଲିସ ବିଭାଗକୁ ନିନ୍ଦା କରିବା ଠିକ ନୁହେଁ ବୋଲି ଅକ୍ଷୟ କୁମାର କହିଛନ୍ତି ।