ତୁର୍କୀରେ ଋଷ-ୟୁକ୍ରେନ ଆଲୋଚନା ବିଫଳ, ଋଷ ବୈଦେଶିକ ମନ୍ତ୍ରୀ କହିଲେ- ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିବ

1 min read

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ ନେଉଛି ଜଟିଳ ରୂପ । ଫିଟୁନି ସମାଧାନର ବାଟ । ଯୁଦ୍ଧ ଟାଳିବା ଲାଗି ପ୍ରଥମ ଥର ଲାଗି ତୁର୍କୀରେ ଅନୁଷ୍ଠିତ ବୈଠକ ବିଫଳ ହୋଇଛି । ବୈଠକରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସତ୍ତ୍ବେ ବାହାରିପାରିନି ସମାଧାନର ସୂତ୍ର । କୁଲେବା କହିଛନ୍ତି ଋଷ ଯେଉଁ ସର୍ତ୍ତ ରଖିଛି ତାହା ଆତ୍ମସମର୍ପଣ କରିବା ପରି । ସେପଟେ ଲାଭରୋଭ କହିଛନ୍ତି- ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିବ ।

ତୁର୍କୀ କଥାବାର୍ତ୍ତା ବିଫଳ ହୋଇଥିବା ବେଳେ, ୟୁକ୍ରେନ ରାଜଧାନୀ କିଭ୍ ଦଖଲ ଲାଗି ଆଗେଇଛନ୍ତି ଋଷ ସୈନ୍ୟ । କିଭଠାରୁ ମାତ୍ର ୧୦ ମାଇଲ ଦୂରରେ ଠୁଳ ହେଲେଣି ସୈନ୍ୟବାହିନୀ । ଟ୍ୟାଙ୍କ ଓ ଗୋଳାମାଡରେ ଧ୍ବଂସସ୍ତୂପରେ ପରିଣତ ହେବାରେ ଲାଗିଛି କିଭର ପାର୍ଶ୍ବବର୍ତ୍ତୀ ଅଞ୍ଚଳ । ଜୀବନ ବିକଳରେ ସମଗ୍ର କିବର ଅର୍ଦ୍ଧାଧିକ ଲୋକ ସହର ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର ପଶ୍ଚିମାଞ୍ଚଳ । ଏହି ଅଞ୍ଚଳରେ ଥିବା ବୁଚା, ଇରପିନ, ହୋସ୍ତୋମେଲ, ବୋର୍ଜେଲ ଆଦି ସହରର ଅବସ୍ଥା ସବୁଠାରୁ ବିପଜ୍ଜନକ ହୋଇଛି ବୋଲି ସୂଚନା ଦେଇଛନ୍ତି ଓବଲାସ୍ତ ଗଭର୍ଣ୍ଣର ଓଲେକ୍ସି କୁଲେବା ।

ଗତକାଲି ମାରିଉପୋଲର ଏକ ମାତୃକାଳୀନ ହସ୍ପିଟାଲରେ ହୋଇଥିବା ବୋମାମାଡରେ ଧ୍ବଂସସ୍ତୂପ ତଳେ ଆହୁରି କିଛି ଲୋକ ପୋତି ହୋଇଥିବା ଆଶଙ୍କା କରାଯାଉଛି । ତେବେ ହସ୍ପିଟାଲ ନାଁରେ ଯୁଦ୍ଧ ଲାଗି ଜାତୀୟତାବାଦୀ ବାହିନୀକୁ ରଖାଯାଇଥିବାରୁ ସେଠାରେ ଆକ୍ରମଣ କରାଗଲା ବୋଲି କହିଛି ଋଷ । ସେପଟେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ କହିଛନ୍ତି, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେନ୍ଦ୍ର କରି ନାଟୋ ରାଷ୍ଟ୍ରଗୋଷ୍ଠୀଙ୍କ ମଧ୍ୟରେ ଏକତା ବୃଦ୍ଧି ପାଇଛି । ଋଷ ବିରୋଧରେ ଆନ୍ତର୍ଜାତିକ ଯୁଦ୍ଧ ଅପରାଧଜନିତ ତଦନ୍ତ ଲାଗି ହୋଇଥିବା ଆହ୍ବାନକୁ ଆମେରିକା ସମର୍ଥନ କରୁଛି ବୋଲି କହିଛନ୍ତି କମଳା ହାରିସ ।