ପରିକ୍ରମା ପ୍ରକଳ୍ପ ନିର୍ମାଣରେ ଶ୍ରୀମନ୍ଦିରକୁ ନାହିଁ ବିପଦ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କେମିତି ଚାଲିଛି ଐତିହ୍ୟ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ? ଏଏସଆଇ ଓ ପ୍ରଶାସନିକ ଟିମ୍ ଆଜି କାମ ଅନୁଧ୍ୟାନ କରିଛନ୍ତି । ଏକ ଜନସ୍ବାର୍ଥ ମାମଲାକୁ ଗ୍ରହଣ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀଙ୍କ ନେତୃତ୍ବରେ ବିଶେଷଜ୍ଞ ଟିମ ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ବାର ତଥା ଏମାର ମଠ ଅଞ୍ଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଛନ୍ତି । ଡିଷ୍ଟୋ ମିଟର ଦ୍ବାରା ପିଲରର ଲମ୍ବ, ଓସାର, ଗଭୀରତା ଓ ମେଘନାଦ ପାଚେରୀଠାରୁ ଦୂରତା ଆଦି ମାପ କରାଯାଇଛି । ତେବେ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବାକୁ ଥିବାରୁ ଏ ସମ୍ପର୍କରେ ଏଏସଆଇ ଅଧିକ ସୂଚନା ଦେଇନଥିବା ବେଳେ ଆସନ୍ତା ୭ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ ।

ପରିକ୍ରମା ମାର୍ଗର ନିର୍ମାଣ ପାଇଁ ଏନଏମଏ ଅନୁମତି ଦେଇଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ଶୌଚାଳୟ, କ୍ଲକରୁମ, ଆଶ୍ରୟସ୍ଥଳୀ, ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା କରାଯାଉଛି । ଏହି ନିର୍ମାଣ ଶ୍ରୀମନ୍ଦିର ଉପରେ କୌଣସି ବିପଦ ବା ପ୍ରଭାବ ପକାଇବ ନାହିଁ ବୋଲି ପୂର୍ତ୍ତ ବିଭାଗର ପୂର୍ବତନ ବରିଷ୍ଠ ଯନ୍ତ୍ରୀ ମତ ଦେଇଛନ୍ତି । ଶ୍ରୀମନ୍ଦିରର ଢାଞ୍ଚା ଓ ଗଠନ ପ୍ରଣାଳୀର ସ୍ବତନ୍ତ୍ରତା ରହିଛି । ତେଣୁ ନିର୍ମାଣ କାର୍ଯ୍ୟ ଦ୍ବାରା କୌଣସି ବିପଦ ନାହିଁ ବୋଲି ବରିଷ୍ଠ ବିଶେଷଜ୍ଞ କହିଛନ୍ତି ।

ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସହିତ ହିନ୍ଦୁମାନଙ୍କର ଭାବାବେଗ ଜଡ଼ିତ ଓ ଏହା ହିନ୍ଦୁଙ୍କ ଅସ୍ମିତାର ଶ୍ରେଷ୍ଠ ପ୍ରତୀକ । ତେଣୁ ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ ନିର୍ମାଣ ନେଇ ହାଇକୋର୍ଟଙ୍କ ରାୟ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ସବୁ ମହଲରେ ଆଶା କରାଯାଉଛି ।