ଭାରତ ସହ ବିବାଦ ଭିତରେ ଚୀନର ନୂଆ ସୀମା ଆଇନ

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ବିଫଳ ହୋଇଥିବାବେଳେ ଚୀନ ଏକ ନୂଆ ସୀମା ଆଇନ ଗୃହିତ କରିଛି । ସୀମାର ସୁରକ୍ଷା ଓ ସୀମାନ୍ତରେ ନିଜର ପ୍ରାଧାନ୍ୟ ବିସ୍ତାର ଲାଗି ଏହି ଆଇନ ପ୍ରସ୍ତୁତ ହୋଇଛି । ଚୀନର ନୂଆ ଆଇନ ଭାରତ ଲାଗି ଅଧିକ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି । ନ୍ୟାସନାଲ ପିପୁଲ୍ସ କଂଗ୍ରେସ ବା ଏନପିସିର ଷ୍ଟାଣ୍ଡିଂ କମିଟି ଏହି ନୂଆ ଆଇନକୁ ମଞ୍ଜୁରୀ ଦେଇଛି । ଆସନ୍ତା ବର୍ଷ ଜାନୁଆରୀ ୧ରୁ ଏହି ନୂଆ ଆଇନ ଲାଗୁ ହେବ । ଏଥିରେ ସୀମାର ସାର୍ବଭୌମତ୍ବ ଓ ସୀମାନ୍ତ ସଂହତି ଉପରେ ଗୁରୁତ୍ବ ଦିଆଯାଇଛି । ସୀମାନ୍ତକୁ ଶକ୍ତିଶାଳୀ କରିବା, ଅର୍ଥନୈତିକ ଓ ସାମାଜିକ ବିକାଶ, ସାଧାରଣ ସେବାକୁ ଅଧିକ କରିବ, ଭିତ୍ତିଭୂମିର ବିକାଶ, ସ୍ଥାନୀୟ ଲୋକଙ୍କୁ ସହଯୋଗ କରିବା, ସୀମାରେ ପ୍ରତିରକ୍ଷାକୁ ମଜଭୁତ କରିବା ଆଦି ଉପରେ ଗୁରୁତ୍ବ ଦିଆଯାଇଛି । ସମାନତା, ପାରସ୍ପରିକ ଆସ୍ଥା, ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଉପରେ ଗୁରୁତ୍ବ ଦେବା ଲାଗି ଏଥିରେ ବ୍ୟବସ୍ଥା ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ଓ ଭୁଟାନ ସମେତ ୧୨ଟି ରାଷ୍ଟ୍ର ସହ ଚୀନର ସୀମା ବିବାଦ ଲାଗି ରହିଛି ।

Leave a Reply