ଗୋଟିଏ ପ୍ରୟାସରେ ଜାଭେଲିନ୍ ଥ୍ରୋ’ ଫାଇନାଲରେ ସ୍ଥାନ ପକ୍କା କଲେ ନୀରଜ

ଟୋକିଓ: ଭାରତ ପାଇଁ ଜାଭେଲିନ୍‌ରେ ପଦକ ଆଶା ସୃଷ୍ଟି ହୋଇଛି । ଭାରତୀୟ ଖେଳାଳି ନୀରଜ ଚୋପ୍ରା ପ୍ରଥମ ଓ ଗୋଟିଏ ଥ୍ରୋ’ରେ ସିଧାସଳଖ ଫାଇନାଲକୁ ପ୍ରବେଶ କରିଛନ୍ତି । ସେ ପୁଲ ଏ’ ଯୋଗ୍ୟତା ପର୍ଯ୍ୟାୟରେ ନିଜର ପ୍ରଥମ ପ୍ରୟାସରେ ବର୍ଛାକୁ ୮୬.୬୫ ମିଟର ଦୂରତାକୁ ଫୋପାଡି ପାରିଥିଲେ । ଅନ୍ୟପକ୍ଷରେ ପାକିସ୍ତାନର ନଦୀମ ଅରଶଦ ପୁଲ୍ ବି’ରେ ୮୫.୧୬ ମିଟର ଦୂରତାକୁ ବର୍ଛା ଫୋପାଡି ଫାଇନାଲକୁ ପ୍ରବେଶ କରିଛନ୍ତି ।
ନିଜ ପ୍ରଥମ ଅଲମ୍ପିକରେ ଭାଗ ନେଉଥିବା ନୀରଜ ଫାଇନାଲ ରାଉଣ୍ଡରେ ସ୍ଥାନ ପାଇଁ ମାତ୍ର କିଛି ସମୟ ନେଇଥିଲେ । ଫାଇନାଲ ପାଇଁ କ୍ୱାଲିଫାଇ ମାର୍କ ୮୩.୫୦ ମିଟର ଥିଲା । ଗ୍ରୁପ ଏ’ରେ ଭାଗ ନେଇଥିବା ନୀରଜ ଅତି ସହଜରେ ଏହାକୁ ପାର କରିଯାଇଥିଲେ । ଫିନଲାଣ୍ଡର ଏତେଲାତେଲୋ ମଧ୍ୟ ୮୪.୫୦ ମିଟର ବର୍ଛା ଫୋପାଡି ସିଧା ଫାଇନାଲକୁ ପ୍ରବେଶ କରିଛନ୍ତି ।

ପୂର୍ବତନ ବିଶ୍ୱ ଜୁନିଅର ଚାମ୍ପିୟନ ନୀରଜ ଗ୍ରୁପ ଏ’ରେ ୧୬ ଖେଳାଳୀଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୨୦୨୧ରେ ସେ ପଟିଆଲାରେ ଇଣ୍ଡିଆନ ଗ୍ରାଁ ପ୍ରି ୩ରେ ୮୮.୦୭ ମିଟର ଦୂରତାକୁ ବର୍ଛା ଫୋପାଡି ରେକର୍ଡ କରିଥିଲେ ।
୨୩ ବର୍ଷୀୟ ନୀରଜ ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ନିଜ ପ୍ରଥମ ପ୍ରୟାସ ପରେ ଆଉ ଦୁଇ ପ୍ରୟାସ କରିନଥିଲେ । ପ୍ରଥମ ଥର ବର୍ଛା ଫୋପାଡିବା ପରେ ସେ ଏରିନାରୁ ବାହାରକୁ ଚାଲିଯାଇଥିଲେ । ସୂଚନାଯୋଗ୍ୟ ଯେ, ଜାଭେଲିନ୍ ଥ୍ରୋ’ରେ ପ୍ରତି ଖେଳାଳୀଙ୍କୁ ମୋଟ ତିନୋଟି ପ୍ରୟାସ କରିବାକୁ ସୁଯୋଗ ମିଳିଥାଏ । ଯାହା ମଧ୍ୟରୁ ସର୍ବଶ୍ରେଷ୍ଠ ପ୍ରୟାସକୁ କ୍ୱାଲିଫାଇ ରାଉଣ୍ଡ୍ ପାଇଁ ଗ୍ରହଣ କରାଯାଇଥାଏ ।

Leave a Reply