କାଲିଠୁ ବିଜେଡିର ପଦଯାତ୍ରା: ଘରେ ଘରେ ପହଞ୍ଚିବ ମୋହନ ସରକାରଙ୍କ ମିଛ ପ୍ରଚାରର ବାର୍ତ୍ତା

ଭୁବନେଶ୍ବର: ଆସନ୍ତାକାଲିଠୁ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା । ଗତବର୍ଷ ପରି ଚଳିତଥର ବି ଏକାମ୍ର ଭୁବନେଶ୍ବରରୁ ପଦଯାତ୍ରା ଆରମ୍ଭ କରିବ ବିଜେଡି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କରିବେ ଶୁଭାରମ୍ଭ । ପ୍ରଥମ ଥର ପାଇଁ ଦୁଇଟି ପର୍ଯ୍ୟାୟରେ ଏହି ପଦଯାତ୍ରା ହେବାକୁ ଯାଉଛି । ଏଥିରେ ନବୀନ ସରକାର ସମୟର ସଫଳତା ଓ ବର୍ତ୍ତମାନ ସରକାରଙ୍କ ମିଥ୍ୟା ପ୍ରଚାରର ବାର୍ତ୍ତା ଘରେ ଘରେ ପହଞ୍ଚାଇବେ ନବୀନ ବ୍ରିଗେଡ । ଏଥିପାଇଁ ଆଜି ପଦଯାତ୍ରାସ୍ଥଳୀରେ ପ୍ରସ୍ତୁତି ଓ ଆୟୋଜନର ସମୀକ୍ଷା କରିଛନ୍ତି ବିଜେଡିର ବରିଷ୍ଠ ନେତା ଓ କର୍ମୀ ।

ଏକାମ୍ର ନଗରୀରୁ ପଦଯାତ୍ରାର ଶୁଭାରମ୍ଭ କରିବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ୫୭ ନମ୍ବର ଓ୍ବାର୍ଡ ବିଜୁ ଆଦର୍ଶ କଲୋନୀରେ ନିଜେ ଚାଲି ଚାଲି ଲୋକଙ୍କ ସହ ଆଲୋଚନା କରିବେ । ଏହାପରେ ନେତାଜୀ ପଡ଼ିଆରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ଚୂଡ଼ାନ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବରିଷ୍ଠ ବିଜେଡି ନେତା ।

କାଲି ଗାନ୍ଧୀ ଜୟନ୍ତୀରୁ ୬ ତାରିଖ ଯାଏଁ ପ୍ରଥମ ଓ ପୂଜା ପରେ ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟରେ ମୋଟ ୧୫ ଦିନ ପଦଯାତ୍ରା ହେବ । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରିବାକୁ ନେତୃବୃନ୍ଦ ଓ ଛାମୁଆ ସଂଗଠକଙ୍କୁ ଚିଠି ଲେଖି ଜଣାଇଛନ୍ତି ସୁପ୍ରିମୋ । ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ପଦଯାତ୍ରା କରୁଛି ବିଜେଡି । ଏଣୁ ନବୀନ କ’ଣ ଅଭିଭାଷଣ ରଖୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେବ ବିଜେଡି । ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶ୍ରୁତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଗତକାଲି ଭଦ୍ରକ ଜିଲ୍ଲା ସଂଗଠନ ସମୀକ୍ଷା ସମୟରେ ଜିଲ୍ଲାରେ ହୋଇଥିବା ସାଂପ୍ରଦାୟିକ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ନବୀନ । କହିଥିଲେ, ବିଜେପି ସରକାର ଆସିବାର ୧୦୦ ଦିନ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି ।

ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଡିସେମ୍ବର ୯ ପର୍ଯ୍ଯନ୍ତ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଜାରି ରହିବ । ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ଏହାର ତଦାରଖ କରିବେ । ଗତ ଥର ଏକ କୋଟି ସଦସ୍ୟତା ଟାର୍ଗେଟ ହାସଲ  ହୋଇଥିବାବେଳେ ଏଥର ମହିଳା, ଯୁବକ ଓ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ଯୋଡ଼ିବାକୁ ଦଳ ରୋଡମ୍ୟାପ ପସ୍ତୁତ କରୁଛି ।