ଭଦ୍ରକ; ପୁଣି ଫୁଲୁଛି ବୈତରଣୀ । ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ପୁଣି ଥରେ ବୈତରଣୀ ଫୁଲିବା ଆରମ୍ଭ କରିଛି । ଭଦ୍ରକ ଆଖୁଆପଦା ନିକଟରେ ବୈତରଣୀ ପୁଣି ଥରେ ସତର୍କ ସଙ୍କେତ ପାର କରିବା ସହିତ ବିପଦ ସଂକେତ ପାଖାପାଖି ପହଞ୍ଚିବା ଆରମ୍ଭ କରିଛି। ହଦଗଡ଼ ଡ଼୍ୟାମରୁ ୪ଟି ଗେଟ ଦେଇ ୧୬୦୦କ୍ୟୂସେକ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ଭଦ୍ରକ ରାଜଘାଟ ଠାରେ ବିପଦ ସଙ୍କେତ ନିକଟରେ ଅର୍ଥାତ୍ ୧୬.୫୪ଫୁଟରେ ପ୍ରବାହିତ ହେଉଥିବାରୁ ଉଭୟ ନଦୀର ଜଳସ୍ତର ବଢ଼ିଚାଲିଛି। ବୈତରଣୀ ନଦୀର ବିପଦ ସଂଙ୍କେତ ୧୮.୩୩ ମି. ରହିଥିବା ବେଳେ ସକାଳ ୭ଟା ସୁଧା ଏହା ୧୯ମି. ଉପରେ ପ୍ରବାହିତ ହେଉଛି। ସେହିପରି ରାଜଘାଟ ଠାରେ ସାଳନ୍ଦୀ ନଦୀର ବିପଦ ସଂକେତ ୧୭ଫୁଟ ଥିବା ବେଳେ ଏଠାରେ ପାଖାପାଖି ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଗମ୍ଭୀର ହେଵା ଦ୍ଵାରା ଭଣ୍ଡାରୀପୋଖରୀ ବ୍ଲକର ରହଣିଆ, ମାଳଦା, ଷୋଳମପୁର, ନପଙ୍ଗ ଓ କୋରିଗାଁ ଆଦି ୮ଟି ପଞ୍ଚାୟତର ୩୦ ଗାଁ ବନ୍ୟା ଘେରରେ ରହିଥିବା ବେଳେ ଭଣ୍ଡାରିପୋଖରୀ- ଯାଜପୁର ରାସ୍ତାରେ ୩/୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।ଭଦ୍ରକ ଜିଲ୍ଲାପାଳ ସୋମେସ ଉପାଧ୍ୟାୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ବିପନ୍ନଙ୍କୁ ଥଇଥାନ ସହ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେବାକୁ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ବନ୍ୟାରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯିବା, ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯିବା ଆଦି ନିମନ୍ତେ ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀ ସଜାଗ ରହିଥିବା କହିଛନ୍ତି ଜିଲାପାଳ।

