କମ୍ପିଲାଣି ପଦମପୁର, ଆସୁଛନ୍ତି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ପଦମପୁରରେ ପ୍ରଚାର କରିବେ । ପଦମପୁର ନିର୍ବାଚନମଣ୍ଡଳୀର ତିନିଟି ସ୍ଥାନରେ ପ୍ରଚାର କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ବରଗଡ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଝାରବନ୍ଧ ବ୍ଲକ ଶକ୍ତି ଛକ ପଡିଆ ଠାରେ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ବିପୁଳ ଜନ ସମାଗମ ହେବାର ସମ୍ଭାବନା ରହିଛି ।

ତେଣୁ ବଲାଙ୍ଗୀର ଏସପି ନିତିନ କୁଶଳକର ଆଜି ସଭା ସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିଏସଏଫ, ଓଡିଶା ପୋଲିସର ଯବାନ ଓ ଅଧିକାରୀଙ୍କ ସହ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସଭାସ୍ଥଳରେ କାରକେଡ, ସଭାମଞ୍ଚ ଓ ଭିଆଇପିଙ୍କ ସୁରକ୍ଷା ସାଙ୍ଗକୁ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ରହିବା ସହ ଜନ ସାଧାରଣଙ୍କୁ ଉତ୍ତମ ବ୍ୟବହାର ପାଇଁ ଅଧିକାରୀଙ୍କୁ ଏସପି ପରାମର୍ଶ ଦେଇଛନ୍ତି ।